ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୧୪ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଛି ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର। ଏଥିରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମସ୍ତ ପୌରସଂସ୍ଥା ଓ ୩୩ ଟି ଆଇ.ଟି.ଆଇ ମଧ୍ୟରେ ଆଜି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
୫-ଟି ମନ୍ତ୍ର ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଞ୍ଚଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା , ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଇ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି।
ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି। ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣାବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉ ନାହିଁ। ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣାବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି।
ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଞ୍ଚଳ ଓ ଆ.ଟି.ଆଇ ମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଆମର ନିଜସ୍ୱ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବା ସହିତ ଆଇ.ଟି.ଆଇ ଗୁଡିକର ସ୍ଥାୟୀ ଆର୍ଥିକ ଆୟ ହୋଇପାରିବ। ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ୧୧୪ ପୌରାଚଂଳ ସହିତ ୩୩ ଟି ଆଇ.ଟି.ଆଇ ସହବନ୍ଧିତ ହୋଇଛନ୍ତି।
ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଉପସ୍ଥିତିରେ ମ୍ୟୁନିସପାଲିଟି ଓ ଏନ୍.ଏ.ସି ଗୁଡିକର ନିର୍ବାହୀ ଅଧିକାରୀ, ମହାନଗର ନିଗମଗୁଡିକର କମିଶନର କିମ୍ବା ତାଙ୍କ ପ୍ରତିନିଧି ମାନେ ଆଇ.ଟି.ଆଇ ଅଧ୍ୟକ୍ଷ ମାନଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଫଳରେ ରାଜ୍ୟର ସହରାଞ୍ଚଳମାନଙ୍କରେ ବର୍ଜ୍ୟ ବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ “ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା” କୁ ସାକାର କରାଯାଇ ପାରିବ।