ଏଥର ନିଜ ସ୍କୁଲ‌ରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବନି। ସେମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଏଥର ମ୍ୟାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ। ସେହିପରି ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେଲେ ବି ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ। କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେପଟେ କରୋନା ପାଇଁ ସ୍କୁଲ୍ ଗୁଡ଼ିକ ଦୀର୍ଘ ଦିନ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯାଇଛି। ସେମାନଙ୍କର ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ହେଉଛି। କରୋନା କଟକଣା ମଧ୍ୟରେ ଏସଓପି ପାଳନ କରି ସ୍କୁଲ‌ଗୁଡ଼ିକରେ ପାଠପଢ଼ା ହେଉଛି। ମେ’ ୩ ତାରିଖରୁ ମ୍ୟାଟ୍ରିକ୍ ପରୀକ୍ଷା ହେବ। ଏଥର ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ।