ବାତିଲ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବହେଳା ହୋଇଛି। ଏଥିସହିତ ସଂକ୍ରମଣ ବଢ଼ୁଥିବାରୁ ଉଚ୍ଚଶିକ୍ଷା ପରୀକ୍ଷା ବାତିଲ ହୋଇଯାଇଥିବା ବେଳେ ଆଜି ରାଜ୍ୟ ବୋର୍ଡ ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ ହୋଇଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୫ ଏପ୍ରିଲ ୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ କୋଭିଡ-୧୯ ମହାମାରୀର ଅଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଂଶୀଦାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମେ’ ୩, ୨୦୨୧ରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁଥିବା ମାଟ୍ରିକ ପରୀକ୍ଷା ଓ ମେ’ ୧୮, ୨୦୨୧ରେ ଓଡ଼ିଶା ରାଜ୍ୟ ମାଦ୍ରାସ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁଥିବା ପରୀକ୍ଷା ଗୁଡ଼ିକୁ ବାତିଲ କରାଗଲା।

ଏହି ବୋର୍ଡ ମାନଙ୍କର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶିତ କରାଯିବ। ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସହମତି ପ୍ରକାଶ କରିବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ କୋଭିଡ ମହାମାରୀର ସଂକ୍ରମଣ ପ୍ରଶମିତ ହେଲେ ବୋର୍ଡ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ।