ଲକଡାଉନରେ ବିଦେଶରେ ଫସିରହିଛନ୍ତି ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ଜାରି ରହିଛି ଲକ୍ ଡାଉନ। ଏହି ମଧ୍ୟରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଆମକୁ ଉଦ୍ଧାର କର। ଆମ ପାଖରେ ଖାଇବାକୁ କିଛି ନାହିଁ। ଭୋକ ଉପବାସରେ ପଡ଼ି ରହିଛୁ। ଏହି ଆକୁଳ ନିବେଦନ ହେଉଛି ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆଙ୍କର। କିଏ ପରୀକ୍ଷା ଦେବାକୁ ରାଜ୍ୟବାହାରକୁ ଯାଇଥିଲାତ ଆଉ କିଏ ବୁଲିବାକୁ ତ ଆଉ କିଏ ନିଜର ଚିକିତ୍ସା ପାଇଁ। ହେଲେ ଦେଶରେ କୋରୋନା ସ୍ଥିତି ପାଇଁ ଲକ୍ ଡାଉନ ଘୋଷଣା ହେବା ପରେ ସମସ୍ତେ ପଡ଼ି ରହିଛନ୍ତି ରାଜ୍ୟ ବାହାରେ।

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଭୋପାଳ କ୍ୟାମ୍ପସରେ ରାଜ୍ୟର ୩୫ଜଣ ବିଇଡି ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଯାଇ ଫଶୀରହିଥିବା ଦେଖିବାକୁ ମିଳିଛି। କୋରୋନା ଯୋଗୁ ଛୁଟି ପରେ ବିଇଡି କଲେଜ କର୍ତ୍ତୃପକ୍ଷ ହଷ୍ଟେଲ ଛାଡିବାକୁ କହିଥିଲେ। ଏଭଳିସ୍ଥଳେ ୩୫ ଛାତ୍ରୀଛାତ୍ର ଘରକୁ ଫେରି ପାରୁନାହାନ୍ତି। ଏଥିରେ ନୟାଗଡ ଜିଲ୍ଲାର ନୟାଗଡ ମୁଥାଗାଡିଆ, ଭାଟସାହି, ଓଡଗାଁ ହନୁମନ୍ତିଆ ଓ ରଣପୁର ବ୍ଲକ ସୁନାଖଳାର ଅନେକ ଛାତ୍ରଛାତ୍ରୀ ଥିବାବେଳେ ସେମାନଙ୍କୁ ଘରକୁ ଫେରାଇ ଆଣିବାରେ ସରକାର ସହାୟତା କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାର ୨୫ ରୁ ଉର୍ଦ୍ଧ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୬ ପରିବାର ୨୧ ଜଣ ସଦସ୍ୟ ତିରୁପତି ଦର୍ଶନ କରିବାକୁ ଯାଇ ଫସିରହିଛନ୍ତି।

ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ଶ୍ରମିକ ଫସିଛନ୍ତି। ରଙ୍ଗାରେଡ୍ଡି ଜିଲ୍ଲାର ରାଇଦୁର୍ଗମରେ ରହୁଥିବା ଏହି ଶ୍ରମିକମାନେ ରାସନ ସରିଯିବା ପରେ କେବଳ ଚୁଡ଼ା ଖାଇ ରହୁଥିବା କହିଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ୍‌ରେ ଫସି ରହିଛନ୍ତି ୧୦ରୁ ଅଧିକ ଓଡ଼ିଆ ଶ୍ରମିକ। ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଏହି ଶ୍ରମିକମାନେ ଲକ୍‌ଡାଉନ୍ ଯୋଗୁଁ ଘରକୁ ଫେରି ପାରୁନାହାନ୍ତି। ଉଦ୍ଧାର କରିବା ପାଇଁ ସେମାନେ ପ୍ରଶାସନକୁ ଗୁହାରି କରିଛନ୍ତି।

ଅନ୍ୟପଟେ ତାମିଲନାଡ଼ୁ ତ୍ରିଚିରେ ଫସିଛନ୍ତି ଗଞ୍ଜାମ ଜିଲ୍ଲାର ୧୪ ତୀର୍ଥଯାତ୍ରୀ। ଖଲ୍ଲିକୋଟ ଓ ଛତ୍ରପୁର ଅଞ୍ଚଳର ୧୦ଟି ପରିବାର ଗତ ୧୩ ତାରିଖରେ ତୀର୍ଥ କରିବାକୁ ଯାଇ ଆଉ ଫେରିପାରିନାହାନ୍ତି । ଗଜପତି ଓ ରାୟଗଡ଼ା ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ କେରଳରେ ଫସିରହିଛନ୍ତି । ସେମାନଙ୍କ ମଧ୍ୟରେ ଗର୍ଭବତୀ ମଧ୍ୟ ଅଛନ୍ତି। ସେମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେରଳରୁ ଫେରାଇ ନେବାକୁ । ଯେମିତି ଏନେଇ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ପଠାଇଛନ୍ତି। ସେହିଭଳି ହାଇଦ୍ରାବାଦ୍ରେ ଫସି ରହିଛନ୍ତି ୧୦୦ ରୁ ୧୫୦ ମାହାଙ୍ଗା ଯୁବକ। ହାଇଦ୍ରାଵାଦର ରଙ୍ଗାରେଡି ଜିଲ୍ଲା ରାଇଦୃର୍ଗମ୍ ଥାନା ଅନ୍ତର୍ଗତ ଦର୍ଘାଠାରେ ଆମ ମାହାଙ୍ଗାର ୧୦୦ ରୁ ୧୫୦ ଯୁବକ ଫସି ରହିଛନ୍ତି । ହାଇଦ୍ରାବାଦ ରେ ଫସିରହିଥିବା ଓଡିଆ ଶ୍ରମିକ ଭାଇମାନେ ଓଡିଶା ଫେରାଇ ଆଣିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ ଜରିଆରେ ନିବେଦନ କରିଛନ୍ତି ।