ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩ୟ ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏହି ସମ୍ମିଳନୀକୁ ବିଭିନ୍ନ ଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ରାଷ୍ଟ୍ରଦୂତମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇବେ । ଏହି ୧୬ଟି ଦେଶ ହେଲେ ଆମେରିକା, ବ୍ରିଟେନ, ଜାପାନ, ଲକ୍ସମ୍ବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲି,ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ, ସିଂଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ ।

ଏହା ସହିତ ସେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ନବୀନ ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବି ଆଲୋଚନା କରିବେ ।

ଆସନ୍ତା ୩୧ତାରିଖରେ ନୂଆଦିଲ୍ଲୀରେ ଓଡିଶାରେ ପୁଞ୍ଜି ନିବେଶ କଲେ କ’ଣ କ’ଣ ସୁବିଧା ପ୍ରଦାନ କରାଯାଉଛି ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ଜଣାଇବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି ଫିକି । ଦୁବାଇରୁ ୨୧ହଜଜାର ୩ଶହ କୋଟି ଟଙ୍କାର ପୁଞ୍ଜି ଆସିଛି । ଅନେକ ଶିଳ୍ପପତି ୨୦୧୬ରୁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।