ସୁଟିଂ ଚାଲିଛି ‘ଲଭ୍ ୟୁ ପ୍ରିୟା’

ଭୁବନେଶ୍ୱର, କଟକ ଓ ଏହାର ଆଖପାଖରେ ଜେଏଚ୍ ଟିଭି ବ୍ୟାନରର ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ୟୁ ପ୍ରିୟା’ର ସୁଟିଂ ଜୋର୍ସୋର୍ରେ ଚାଲିଛି। ଟାଇଟଲ୍ରୁ ମୁଖ୍ୟତଃ ଏହା ଏକ ପ୍ରେମ କାହାଣୀ ବୋଲି ବୁଝାପଡ଼ୁଥିଲେ ହେଁ ଏଥିରେ କେବଳ ପ୍ରେମ ନାହିଁ, ପାରିବାରିକ କାହାଣୀ ଅଛି, ହସ-କାନ୍ଦ, ମିଳନ-ବିଚ୍ଛେଦ ଅଛି। କମେଡି ଅଛି। ଭଲ ଗୀତ ବି ଅଛି। ଜୟସେନଙ୍କ ପ୍ରଯୋଜିତ ଏ ସିନେମାର ମୁଖ୍ୟ ଚରିତ୍ରରେ ଅଛନ୍ତି ସୋହନ ସିଂ ଓ ମହିମା। ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଜୀବନ ପଣ୍ଡା, ଟୁନା ଟନ୍ ଟନ୍, ମିତା ଚକ୍ରବର୍ତ୍ତୀ, ପ୍ରୀତିରାଜ, ଗୁଡ୍ଡୁ, ପୁଷ୍ପା ପଣ୍ଡା, ରାଜା ଏବଂ ନିକି।

ଫିଲ୍ମର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ, ନିର୍ଦ୍ଦେଶନା ଦେଇଛନ୍ତି ବିବେକ କୁମାର। ସମାଜରେ ବର୍ତ୍ତମାନ ଦିବ୍ୟାଙ୍ଗମାନେ କିଭଳି ନାନା ପ୍ରକାର ଅବହେଳାର ଶିକାର ହେଉଛନ୍ତି, ତାହା ଏ ଫିଲ୍ମର କଥାବସ୍ତୁ। ପୁଣି ବର୍ତ୍ତମାନ ସମାଜରେ ବ୍ୟାପିଚାଲିଥିବା ହିଂସା, ଈର୍ଷା, ଦ୍ୱେଷକୁ ଦୂର କରିବା ପାଇଁ ଗରିବ ଯୁବକ ଜଣେ କିଭଳି ନିଜ ଜୀବନକୁ ବାଜି ଲଗାଇଦେଉଛି, ତା’ର କାହାଣୀ ଏଥିରେ ଦର୍ଶକ ଦେଖିବେ।