ସ୍ଥାନୀୟ ମେଳା, ମହୋତ୍ସବ ଉପରେ କଟକଣା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ମେଳା ଓ ମହୋତ୍ସବ ପାଳନ ଉପରେ କଟକଣା ଜାରି କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ନଦୀଘାଟ, ପୁଷ୍କରିଣୀ ଏବଂ ସମୁଦ୍ରରେ ବୁଡ଼ ପକାଇବା ଏବଂ ସମାଗମକୁ ବାରଣ କରାଯାଇଛି। ସେହିପରି ମେଳା ଆୟୋଜନ ଓ ପାଳନ ହୋଇପାରିବନି। ଧାର୍ମିକ ସମାବେଶକୁ ମଧ୍ୟ ମନା କରାଯାଇଛି।

ପରମ୍ପରା ରକ୍ଷା ପାଇଁ ଧାର୍ମିକ ସ୍ଥଳରେ କମ୍ ସଂଖ୍ୟକ ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି। ନିଜ ଘରେ ପରିବାର ସଦସ୍ୟଙ୍କ ସହ କୋଭିଡ୍ ନିୟମ ମାନି ପୂଜା କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସରକାର। ସ୍ଥାନୀୟ ସ୍ଥିତିକୁ ବିଚାର କରି ଆବଶ୍ୟକସ୍ଥଳେ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଉପଯୁକ୍ତ କଟକଣା ଜାରି କରାଯିବ। ନିଜ ଅଞ୍ଚଳରେ ପର୍ବପର୍ବାଣୀ ଏବଂ ପୂଜାରେ କେତେସଂଖ୍ୟକ ଲୋକ ଯୋଗଦେବେ ତାହା ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରମାନେ ସ୍ଥିର କରିବେ। ଏହି ନିୟମର ଉଲ୍ଲଙ୍ଘନ କରାଗଲେ ସ୍ଥାନୀୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବେ।