ଲିସାଙ୍କ ନୋ ଫିଲଟର ଲୁକ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବଲିଉଡ ଆକ୍ଟ୍ରେସ ଲିସା ରେ ସୋସିଆଲ ମିଡିଆରେ ନିଜର ଏକ ବିନା ମେକଅପ ଫଟୋ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଅଛନ୍ତି। ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଲିସା ମେକଅପ କରିନଥିବା ଏକ ଫଟୋ ସେୟାର କରିଛନ୍ତି। ସାଧାରଣତଃ କୌଣସି ବଲିଉଡ ଅଭିନେତ୍ରୀ ଏଭଳି କରିବାକୁ ସାହସ କରିନଥାନ୍ତି। ମାତ୍ର ଲିସା ତାହା କରି ଦେଖାଇଛନ୍ତି ଏବଂ ସେଥିରେ ଏକ ସୁନ୍ଦର କ୍ୟାପସନ ଦେବା ସହିତ ‘ଆପଣମାନେ ଏଭଳି କରିପାରିବେ କି? ବୋଲି ପ୍ରଶ୍ନ ପଚାରିଛନ୍ତି। ଲିସା କ୍ୟାପସନରେ ଲେଖିଛନ୍ତି, ‘ହଁ, ମୋର ବୟସ ୪୭ ବର୍ଷ। ଫ୍ରି ଏବଂ ଅନଫିଲଟର୍ଡ। ନିଜକୁ ଏଭଳି ଅବସ୍ଥାରେ ଦେଖିବାକୁ ସାଧାରଣତଃ ଆମ ଭିତରେ ସାହସ ନଥାଏ।

ଯେତେବେଳେ ମୁଁ ଯୁବାବସ୍ଥାରେ ଥିଲି, ମୋ ଭିତରେ ବି ନଥିଲା। ଲିସାଙ୍କ ଏଭଳି ସ୍ୱୀକାରୋକ୍ତି ଏବଂ ମେକଅପ ହୋଇନଥିବା ଫଟୋ ସେୟାରକୁ ଖୁବ ପ୍ରଶଂସା ମିଳିଛି। ଲିସାଙ୍କ ସାହସକୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ଦର୍ଶକ। କହିରଖିବା ଉଚିତ, ଲିସା ଢେର ଦିନ ହେଲା ସିନେଶିଳ୍ପରେ ସକ୍ରିୟ ନାହାନ୍ତି। ମାତ୍ର ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଅଛନ୍ତି ସେ। ଯଦି ଆପଣ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଖୋଜିବେ, ତା’ହେଲେ ଦେଖିପାରିବେ ଲିସା ନିଜ କୁନିଝିଅର ଅନେକ ଫଟୋ ସେୟାର କରିଛନ୍ତି। ‘କସୁର’, ‘ବୀରାପ୍ପନ’, ‘ଦୋବାରା’ ଆଦି ଫିଲ୍ମରେ ଅଭିନୟ ପ୍ରତିଭା ପ୍ରମାଣିତ କରିଥିବା ଲିସାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଦୀର୍ଘଦିନର ଚିକିତ୍ସା ପରେ ୨୦୧୦ରେ ସେ କ୍ୟାନସରମୁକ୍ତ ହୋଇଥିଲେ। ୨୦୧୨ରେ ଜେସନ ଡେନିଙ୍କୁ ବିବାହ କରିଛନ୍ତି ଲିସା।