ପଞ୍ଜାବର ସୁପ୍ରସିଦ୍ଧ ଗାୟକ ସରଦୁଲ ସିକନ୍ଦରଙ୍କ ପରଲୋକ

ପଞ୍ଜାବ: ପଞ୍ଜାବର ସୁପ୍ରସିଦ୍ଧ ଗାୟକ ସରଦୁଲ ସିକନ୍ଦରଙ୍କ ନିଧନ ହୋଇଯାଇଛି। ପଞ୍ଜାବର ମହାଲୀର ଫର୍ଟିସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ଦିନରୁ ରୋଗାଗ୍ରସ୍ତ ଥିବା ସରଦୁଲଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଅପରେସନ ସଫଳ ରହିଥିଲେ ହେଁ ଇତିମଧ୍ୟରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।

ସରଦୁଲ ସିକନ୍ଦର ଅନେକ ପଞ୍ଜାବୀ ହିଟ୍ ଗୀତ ଗାଇଛନ୍ତି। ତାଙ୍କର ପ୍ରଥମ ଆଲବମ୍ ‘ରୋଡବେଜ ଦୀ ଲାରୀ’ ୧୯୮୦ ମସିହାରେ ରିଲିଜ ହୋଇଥିଲା। ୧୯୯୧ରେ ରିଲିଜ ହୋଇଥିବା ‘ହୁସ୍ନା ଦେ ମଲକୋ’ ସମଗ୍ର ବିଶ୍ୱରେ ବେଶ୍ ଲୋକପ୍ରିୟ ହୋଇଥିଲା। ଏହି ଆଲବମର ୫.୧ ମିଲିୟନ କପି ବିକ୍ରି ହୋଇଥିଲା। ସଙ୍ଗୀତ ବ୍ୟତୀତ ଅଭିନୟ ଦୁନିଆରେ ମଧ୍ୟ ସେ ନିଜ କଳା ଦେଖାଇଥିଲେ। ପଞ୍ଜାବୀ ଫିଲ୍ମ ‘ଜଗା ଡାକୁ’ରେ ତାଙ୍କ ଅଭିନୟକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ।