ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ମାର୍ଚ୍ଚରେ ଆରମ୍ଭ ପରଠାରୁ ମାର୍ଚ୍ଚ ୨୫ ତାରିଖରେ ଲର୍ଣ୍ଣର ଲାଇସେନ୍ସ ସେବା ଆରଟିଓ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ସେହିପରି ମାର୍ଚ୍ଚ ୧୮ ତାରିଖରୁ ସ୍ଲଟ ବୁକିଂ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ବର୍ତ୍ତମାନ ଦୀର୍ଘ ୮ ମାସ ପରେ ପୁଣି ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟିଂ ଆରମ୍ଭ ହେବାକୁ ଯାଉଛି। ୧୨ ତାରିଖଠାରୁ ସ୍ଲଟ୍ ବୁକିଂ ହେବାକୁ ଯାଉଛି। ତେବେ କୋଭିଡ୍ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ। ଯଦି କେହି ନିୟମ ଖିଲାପ କରନ୍ତି, ଏ ସଂକ୍ରାନ୍ତରେ ଥାନାରେ ଆରଟିଓ ପକ୍ଷରୁ ଅଭିଯୋଗ କରାଯିବା ନେଇ ଚେତାବନୀ ଦିଆଯାଇଛି।
ଯେଉଁମାନେ ଏଥିପାଇଁ ପୂର୍ବରୁ ଦେୟ ଜମା କରିସାରିଛନ୍ତି, ସେମାନଙ୍କ ଦେୟ ବୈଧ ରହିବ। ଆସନ୍ତା ୧୨ ତାରିଖ ଦିନ ପ୍ରାୟ ୧୧ଟା ପରଠାରୁ ସ୍ଲଟ ବୁକିଂ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଦୈନିକ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ବୁକିଂ କରାଯିବ। ଆବେଦନକାରୀ ସକାଳ ୭ଟା ବେଳେ ସ୍ଲଟ ପାଇଁ ଆବେଦନ କଲେ ମନ ପସନ୍ଦର ସ୍ଲଟ ମିଳିପାରିବ। ଯେଉଁମାନେ ଲର୍ଣ୍ଣର ଲାଇସେନ୍ସ ପାଇଁ ପୂର୍ବରୁ ଆବେଦନ କରିଛନ୍ତି କେବଳ ସେହିମାନେ ସ୍ଲଟ ବୁକିଂ କରିପାରିବେ।