୨୨୯୨ ପ୍ରଧାନଶିକ୍ଷକଙ୍କୁ ଦିଆଯିବ ଲିଡରଶିପ୍ ଟ୍ରେନିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତବର୍ଷ ସ୍କୁଲସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ଉପରକୁ ନେବା ପାଇଁ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗକୁ ଏହି ତାଲିକାରେ ଆଉ କିଛି ନୂଆ ଯୋଜନା ଯୋଡ଼ି ହେବାକୁ ଯାଉଛି। ବିଶେଷକରି ପ୍ରାଥମିକ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏଠାକାର ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ସ୍କୁଲ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବା ସହ ରାଜ୍ୟର ୨୨୯୨ ଜଣ ପ୍ରଧାନଶିକଙ୍କୁ ଲିଡରଶିପ୍ ତାଲିମ ପ୍ରଦାନ କରାଯିବ। ବିଶେଷକରି ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ କମିଟିର ସବୁ ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହି ପ୍ରଶିକ୍ଷଣରେ ପରିଚାଳନା କମିଟିର ସଦସ୍ୟଙ୍କୁ ସେମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ। ସ୍କୁଲ ଡେଭଲପମେଣ୍ଟ ପ୍ଲାନ(ଏସଡିପି) ପ୍ରସ୍ତୁତି, ଆର୍ଥିକ ପରିଚାଳନା, ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଅଭିଭାବକଙ୍କୁ ସଚେତନ କରିବା, ସ୍କୁଲ ସପୋର୍ଟ ସ୍କିମ୍(ଏସଏସସି) କାର୍ଯ୍ୟକାରୀ କରିବାର ପଦ୍ଧତି, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହ ଶ୍ରେଣୀକକ୍ଷରେ ନିୟମିତ ଶିକ୍ଷକଙ୍କର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏନେଇ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ, ଯେଉଁଥିରେ ୧୦ଜଣ ସଦସ୍ୟ ରହିବେ। ଏହାବ୍ୟତୀତ ଡିପିସି, ଶିକ୍ଷକ, କୋର୍ଡିନେଟର, ଏସଆରଜି, ଡିଆରଜି, ବିଆର୍ଜି ସଦସ୍ୟମାନେ ମଧ୍ୟ ରହିବେ। ଏହି ପ୍ରଶିକ୍ଷଣ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଏସ୍ସିଇଆର୍ଟି ଏବଂ ଓପେସାର ବିଶେଷଜ୍ଞ ମଧ୍ୟ ସାମିଲ ହେବେ। ଜିଲ୍ଲାୱାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ।

ତେବେ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲା ଥିବାବେଳେ ତୃତୀୟ ପର୍ଯ୍ୟାୟରେ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲା ରହିଛି। ଶେଷ ପର୍ଯ୍ୟାୟରେ ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ରହିଛି। ତେବେ ପ୍ରତ୍ୟେକ ଜିଲ୍ଲାରେ କ୍ଲଷ୍ଟରୱାରୀ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଶିକ୍ଷକଙ୍କ ମଧ୍ୟରୁ ୭ହଜାର ୪୦୦ଜଣଙ୍କୁ ମଧ୍ୟ ସାମିଲ କରାଯିବ। ଯେଉଁଥିରେ ୨୨୯୨ଜଣ ପ୍ରଧାନଶିକ୍ଷକଙ୍କୁ ଲିଡରଶିପ୍ ଟ୍ରେନିଂ ଦିଆଯିବ।a