ଓଡ଼ିଶା ସ୍ଵଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍’ ସିରିଜ୍‌ର ଉଠାଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସ୍ଵଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍ ସିରିଜ୍‌’ ଉଠାଣ ଜୟଦେବ ଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଂଚୟର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯେପରି ବ୍ୟାଟିଂ ସେବା ପହଞ୍ଚି ପାରିବ ସେଥିପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଥିଲେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ଵଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧିକାରୀ ଏବଂ ସ୍ଵଳ୍ପ ସଂଚୟ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

ସ୍ଵଳ୍ପ ସଂଚୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦାସ ସ୍ଵାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଂଚୟର ବାର୍ତ୍ତା ଯେଭଳି ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶେଷ ଭାବେ ଲାଭବାନ ହୋଇପାରିବେ ସେଥିପାଇଁ ଗୁରୁତ୍ୱାରୋପ କରିଥିଲେ। ବିଚାରପତି ପ୍ରତାପ କୁମାର ପାତ୍ର, ପ୍ରଫେସର ଡ. ହୃଷୀକେଶ ମହାନ୍ତି ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥସେବା ଅଧିକାରୀ ସିଦ୍ଧାର୍ଥ କାନୁନଗୋକୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉଠାଣରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି କାର୍ଯ୍ୟକ୍ରମ ପରିଶେଷରେ ଅର୍ଥ ବିଭାଗର ଉପଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସଂପୂର୍ଣ୍ଣ କୋଭିଡ୍ କଟକଣା ଓ ତତ୍‌ସଂକ୍ରାନ୍ତୀୟ ମାର୍ଗଦର୍ଶିକାନୁଯାୟୀ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସର୍ବସାଧାରଣ ଦେଖିବା ପାଇଁ ଏହି ଉଠାଣ କାର୍ଯ୍ୟକ୍ରମର ସିଧାପ୍ରସାରଣର ବ୍ୟବସ୍ଥା ‘ୟୁଟ୍ୟୁବ୍’ ଏବଂ ଅର୍ଥ ବିଭାଗର ‘ଫେସ୍‌ବୁକ୍‌’ ମାଧ୍ୟମରେ କରାଯାଇଥିଲା। ଏଥି ନିମନ୍ତେ ଆବଶ୍ୟକୀୟ ବୈଷୟିକ ସହାୟତା ‘ଓକାକ୍’ ତରଫରୁ ଯୋଗାଇ ଦିଆଯାଇଥିଲା। ଖୁବ୍‌ଶୀଘ୍ର ଏହି ଉଠାଣର ଫଳାଫଳ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି।