ମାଲକାନଗିରିରୁ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଓ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ ସମେତ ମାଓ ସାମଗ୍ରୀ ଜବତ କରିଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ଜଙ୍ଗଲରୁ ଲ୍ୟାଣ୍ଡମାଇନ, ମାଓ ପୋଷାକ, ୱାକିଟକି ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ହାଣ୍ଡିଖାଲ ଜଙ୍ଗଲର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ନେଇ ବିଏସଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ବିଏସଏଫର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ପଣସପୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ଜଙ୍ଗଲରୁ ଏକ ଡ୍ରମରେ ପୋତାଯାଇଥିବା ଲ୍ୟାଣ୍ଡମାଇନ ଠାବ କରାଯାଇଥିଲା। ବୋମା ନିଷ୍କ୍ରିୟ ଦଳ ପହଞ୍ଚିବା ପରେ ଜବତ ହୋଇଥିବା ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଯିବ।