୩ ଅସହାୟ ଶିଶୁଙ୍କ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଅନେକ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବରୁ ଶିକ୍ଷା ଗ୍ରହଣରୁ ବଞ୍ଚିତ ରହୁଛନ୍ତି। ଏନେଇ କିସ୍ ଫାଉଣ୍ଡେସନ ପକ୍ଷରୁ ବହୁ ବର୍ଷ ଧରି ଅସହାୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇ ଆସୁଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି କିସ ଫାଉଣ୍ଡେସନ ପକ୍ଷରୁ ୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢ଼ାଯାଇଛି। ଏହି ୩ ଜଣ ଶିଶୁ ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ଦେବକି, ବର୍ଷାରାଣୀ ଓ କ୍ଷୀରୋଦ। ସୂଚନା ଅନୁସାରେ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସେମାନଙ୍କ ମାଆ ଓ ବାପାଙ୍କ ଦେହାନ୍ତ ହେବା ପରେ ସେମାନେ ଅସହାୟ ଓ ଅନାଥ ହୋଇଯାଇଥିଲେ। କିସ ଫାଉଣ୍ଡେସନର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଏ ସମ୍ପର୍କରେ ଏକ ଗଣମାଧ୍ୟମରୁ ଖବର ପାଇବା ପରେ ସେ ସେମାନଙ୍କ ଅସୁବିଧା ସମ୍ପର୍କରେ ତଦନ୍ତ କରିଥିଲେ।

ସେମାନଙ୍କ ଅସୁବିଧା ସମ୍ପର୍କରେ ସବୁ ଜାଣିବା ପରେ ଶ୍ରୀ ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କୁ ଦୈନିକ ଖର୍ଚ୍ଚ ପାଇଁ ପ୍ରତ୍ୟେକଙ୍କୁ ମାସକୁ ୩ ହଜାର ଟଙ୍କା ଦେବା ସହିତ ଯେପରି ସେମାନଙ୍କ ପାଠ ପଢ଼ାରେ କୌଣସି ଅବହେଳା ନହୁଏ ସେଥିପ୍ରତି କିସ ଫାଉଣ୍ଡେସନ ପକ୍ଷରୁ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ କିସ୍ ସ୍କୁଲରେ ସେମାନଙ୍କ ନାମଲେଖାକୁ ସୁନିଶ୍ଚିତ କରିଛନ୍ତି ଶ୍ରୀ ସାମନ୍ତ। କରୋନା ମହାମାରୀ ପରେ ସ୍କୁଲ ଖୋଲିଲେ ସେମାନଙ୍କ ନମଲେଖା ହେବ। ଏନେଇ ୩ ଶିଶୁ କିସ ଫାଉଣ୍ଡେସନ ଓ ଶ୍ରୀ ସାମନ୍ତଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଇଛନ୍ତି। କିସ୍ ଫାଉଣ୍ଡେସନର ଏପରି ମାନବିକତା କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରସଂଶା କରାଯାଇଛି।