ଅପହରଣ ନୂହେଁ ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଥିଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗୁରୁବାର ଜଣେ ଯୁବକଙ୍କୁ ଅନ୍ୟ କିଛି ଯୁବକଙ୍କୁ ଜୋର ଜବରଦସ୍ତି ଏକ କାରରେ ନେଇ ପଳାଇଥିଲେ। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କୁ ଅପହରଣ କରାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ କହୁଥିବା ବେଳେ ଘଟଣା ଉପରୁ ପରଦା ହଟାଇଛି କମିସନରେଟ ପୁଲିସ। ୪ ଘଣ୍ଟା ମଧ୍ୟରେ ତଦନ୍ତ କରି ପୁଲିସ ଉକ୍ତ ଯୁବକଙ୍କୁ ଠାବ କରିଛି। ଏଥିସହିତ ତାଙ୍କୁୁ ନେବାକୁ ଆସିଥିବା ୪ ଜଣ ଯୁବକଙ୍କୁ ପଚରାଉଚରା ମଧ୍ୟ ଚଳାଇଛି।

ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ସାଢେ ୫ଟା ବେଳେ ଖଣ୍ଡଗିରି ଥାନା ଅନ୍ତର୍ଗତ ଫାୟାର ଷ୍ଟେସନ ନିକଟସ୍ଥ ଡେଲଟା ଆଡକୁ ଜଣେ ଯୁବକ ବାଇକରେ ଆସୁଥିଲେ। ଏହାର କିଛି ସମୟ ପୂର୍ବରୁ ପୂର୍ବ ପ୍ରସ୍ତୁତରେ ଥିବା ଓଡି ୦୨ ବିଇ-୭୬୫୬ ଟାଟା ନେକ୍ସନ୍‍ କାରରେ ଡେଲଟା ଛକ ଅଭିମୁଖେ ଆସିଥିଲା। ବାଇକରେ ଯୁବକମାନେ ଡେଲଟା ଛକ ନିକଟରେ ପହଞ୍ଚିବା ମାତ୍ରେ କାରରେ ଥିବା ୫ ଜଣ ଯୁବକ ଅତର୍କିତ ଭାବେ ଜଣେ ଯୁବକଙ୍କୁ କାବୁ କରି ନେଇ କାର୍‍ ଭିତରକୁ ନେବାକୁ ଉଦ୍ୟମ କରିଥିଲେ। ଯୁବକ ଜଣଙ୍କ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତା ଉପରେ ନିର୍ଧୁମ ମାଡ ମାରି କାରରେ ଅପହରଣ କରି ନେଇ ପଳାଇଥିଲେ। ସ୍ଥାନୀୟ ଯୁବକମାନେ ସବୁ ଦେଖିଥିଲେ ମଧ୍ୟ ପାଖକୁ କେହି ଯାଇନଥିଲେ। କିନ୍ତୁ ପରେ ସେମାନେ କାର ନେଇ ପଳାଇଯିବା ସମୟରେ କିଛି ଲୋକ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଖସିଯିବାରେ ସକ୍ଷମ ହୋଇଥିଲେ। ସ୍ଥାନୀୟ ଲୋକେ ଖଣ୍ଡଗିରି ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ କିଛି ସୁରାକ ପାଇ ନ ଥିଲା।

ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି, ଡେଲଟା ଛକ ନିକଟରେ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଥିବା ଯୁବକ ଏକ ନିଶା ନିବାରଣ କେନ୍ଦ୍ରରୁ ଖସି ପଳାଇ ଆସିଥିଲେ। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଉକ୍ତ କେନ୍ଦ୍ରର ୪ ଜଣ ଯୁବକଙ୍କୁ ପଚରାଉଚରା କରାଯାଇଛି।

୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ପୁଲିସକୁ ବହୁ ପରିଶ୍ରମ କରିବାକୁ ପଡିଥିଲା। ୧୦ରୁ ୧୨ ଭ୍ୟାନ ଧରି ପୁଲିସ ସହର ସାରା ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଶେଷରେ ପୁଲିିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଜାଗୃତି ଫାଉଣ୍ଡେସନ ନାମକ ଏକ ନିଶା ନିବାରଣ କେନ୍ଦ୍ରରେ ପୁଲିସ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଉକ୍ତ କାର ନମ୍ବର ଆଧାରରେ ପୁଲିସ ପଚରାଉଚରା ମଧ୍ୟ କରିଥିଲା। ଶେଷରେ ଜଣାପଡିଥିଲା ଯେ ଲପୁ ୨୦୧୯ରୁ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଅଛନ୍ତି। ନିଶା ଛାଡିବାକୁ ତାଙ୍କୁ ଅଧିକ ସମୟ ଲାଗୁ ଥିଲେ ମଧ୍ୟ ସେ ପୂର୍ବ ଅପେକ୍ଷା ଭଲ ହୋଇ ଆସୁଥିଲେ। ସେଥିପାଇଁ ଲିପୁଙ୍କୁ ଉକ୍ତ କେନ୍ଦ୍ରର ପରିସର ମଧ୍ୟରେ ବୁଲାବୁଲି କରିବାକୁ ଅନୁମତି ମିଳିଥିଲା। ଯାହାର ଫାଇଦା ଉଠାଇ ଲିପୁ ୭ ଦିନ ପୂର୍ବରୁ ସେଠାରୁ ଖସି ପଳାଇ ଆସିଥିଲେ। ସେବେଠୁ ଲିପୁଙ୍କୁ ଧରିବା ପାଇଁ କେନ୍ଦ୍ର ପକ୍ଷରୁ ତାଙ୍କର ଟିମ ଲିପୁଙ୍କ ଉପରେ ନଜର ରଖିଥିଲା। ଆଜି ସୁଯୋଗ ଦେଖି ତାଙ୍କୁ ଉଠାଇ ନେଇଥିଲେ।