ଅନୁଭୂତି ବଖାଣିଲେ କରନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆକ୍ଟର ସନ୍ନି ଦେଓଲଙ୍କ ପୁଅ କରନ୍ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଶୁକ୍ରବାର ରିଲିଜ୍ ହେଉଛି। ସୁଟିଂ ଆରମ୍ଭରୁ ଏହି ଫିଲ୍ମଟିକୁ ନେଇ ସିନେପ୍ରେମୀଙ୍କ ଭିତରେ ବେଶ୍ କ୍ରେଜ୍ ଦେଖିବାକୁ ମିଳୁଛି। କରନ୍ ଙ୍କ ସହିତ ସହର ବାମ୍ବା ମଧ୍ୟ ଏ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରୁଛନ୍ତି। ଖାସ୍ ସେଇଥିପାଇଁ ସନ୍ନି ଦେଓଲ, କରନ୍ ଓ ସହର ଖୁବ୍ ପ୍ରଚାର ପ୍ରସାରରେ ଲାଗିଛନ୍ତି। ଫିଲ୍ମର ପ୍ରମୋସନ୍ କରୁଥିବାବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରନ୍ ସୁଟିଂବେଳର ଅନୁଭୂତି ବଖାଣିଛନ୍ତି।

କରନ୍ କହିଛନ୍ତି, ଉଚ୍ଚ ଜାଗାରୁ ଷ୍ଟଣ୍ଟ୍ କରିବା ଆଦୌ ସହଜ ନଥିଲା। ମାତ୍ର କରିସାରିବା ପରେ ସବୁ ଡର ଉଭେଇ ଯାଇଥିଲା। ‘ଆକ୍ଟିଂ ବାବଦରେ ଘରେ କାହାଠାରୁ ସବୁଠୁ ଅଧିକ ଟିପ୍ସ ମିଳୁଛି?’ ପ୍ରଶ୍ନର ଉତ୍ତରରେ କରନ୍ କହିଥିଲେ, ସମସ୍ତଙ୍କର ଆକ୍ଟିଂ ଷ୍ଟାଇଲ୍ ଭିନ୍ନ। ତେଣୁ ସମସ୍ତେ ଅଲଗା ଅଲଗା ଟିପ୍ସ ଦେଇଛନ୍ତି। କରନ୍ ଙ୍କ ଅଭିନୟରେ ପ୍ରବେଶ ବାବଦରେ ସନ୍ନି ଦେଓଲ କହିଥିଲେ, କରନ୍ ଫିଲ୍ମ ଲାଇନ୍ କୁ ଆସିବ ବୋଲି କହିବାରୁ ମୁଁ ତାକୁ ମନା କରିଥିଲି। ବୁଝେଇଥିଲି ଯେ ଆକ୍ଟିଂ ଆଦୌ ସହଜ କାମ ନୁହେଁ। ଏହା ଏମିତି ଏକ ପ୍ରଫେସନ୍ ନୁହେଁ ଯେଉଁଥିରେ ଡିଗ୍ରୀ ମିଳିଗଲେ ସବୁଦିନ କାମ ପାଇବା ସମ୍ଭବ। ଏହା ଏକ କଳା ଓ ପ୍ରତିଟି ଫିଲ୍ମରେ ଦର୍ଶକ, ନିର୍ଦ୍ଦେଶକ, ନିର୍ମାତାଙ୍କ ସାମ୍ନାରେ ଟେଷ୍ଟ ଦେବାକୁ ହୋଇଥାଏ। କରନ୍ ଙ୍କ ଜବାବ ଥିଲା – ମୁଁ ସେଥିପାଇଁ ପ୍ରସ୍ତୁତ। ଏହାପରେ ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଆଉ ମନା କରିନଥିଲି ବୋଲି କହିଥିଲେ ସନ୍ନି।