ଅନୁଗୁଳରେ ଜେଏସପିଏଲ୍ ପ୍ରତିଷ୍ଠା କରିବ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପିଏଲ୍) ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ। ୧.୨୦ ଲକ୍ଷ କୋଟି ଅଧିକ ପୁଞିନିବେଶ ହେବ। ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ। ଉକ୍ତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ୨୫.୨ ନିୟୁତ ଟନ୍କୁ ସଂପ୍ରସାରଣ କରିବା ସହ ପ୍ରତ୍ୟକ୍ଷ ଭାବେ ୬୦ହଜାରୁ ଅଧିକ ଏବଂ ପରୋକ୍ଷ ଭାବେ ୩ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡିଶା ପାଇଁ ଜେଏସ୍ପିଏଲ୍ ‘ଭିଜନ-୨୦୩୦’ ପ୍ରସ୍ତୁତ କରିଛି।
ଗୁରୁବାର ଓଡିଶା ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିସନର୍ ପି କେ ଜେନାଙ୍କ ସହିତ ଏକ ଅନଲାଇନ୍ ବୈଠକ ପରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି ସୂଚନା ଦେଇଛନ୍ତି। ‘ଭିଜନ୍ ୨୦୩୦’ ରିପୋର୍ଟ ଉପସ୍ଥାପନା କରି ଶ୍ରୀ ଜିନ୍ଦଲ କହିଛନ୍ତି ଯେ, ଅନୁଗୁଳରେ ଥିବା ଜେଏସପିଏଲର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍କୁ ବୃଦ୍ଧି କରାଯିବ। ଏହି କ୍ଷମତା ସଂପ୍ରସାରଣ ପାଇଁ ଜେଏସ୍ପିଏଲ୍ ୨୦୩୦ ସୁଦ୍ଧା ଆହୁରି ଅଧିକ ୧.୨୦ ଲକ୍ଷ କୋଟି ଟଙ୍କା ପୁଞିନିବେଶ କରିବା ସହିତ ସ୍ୱଚ୍ଛଶକ୍ତି ଉତ୍ସ ବ୍ୟବହାର କରିବ । ଏହା ଦ୍ୱାରା ଅନୁଗୁଳ ଇସ୍ପାତ କାରଖାନା ବିଶ୍ୱର କୌଣସି ଗୋଟିଏ ସ୍ଥାନରେ ଥିବା ସର୍ବବୃହତ୍ ଇସ୍ପାତ କାରଖାନା ହେବ। ଓଡିଶା ବିଶ୍ୱ ଇସ୍ପାତ ମାନଚିତ୍ରରେ ଏକ ପ୍ରମୂଖ ସ୍ଥାନ ପାଇ ପାରିବ ବୋଲି ସେ କହିଥିଲେ।
ଶ୍ରୀ ଜିନ୍ଦଲ କହିଥିଲେ, ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ ଓ ଫ୍ଲାଇଆଶ୍ ବ୍ୟବହାର କାରିବା ପାଇଁ ଅନୁଗୁଳ ଇସ୍ପାତ କାରଖାନା ପାରିସରରେ ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ମଧ୍ୟ ପ୍ରତିଷ୍ଠା କରାଯିବ।
ଜେଏସ୍ପିଏଲ୍ର ଓଡିଶାରେ ସମୁଦାୟ ପୁଞିନିବେଶ ଯୋଗୁଁ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ସୃଷ୍ଟି ହେବା ସହିତ, ରାଜ୍ୟ କୋଷାଗାରକୁ ୭,୫୦୦ କୋଟି ଟଙ୍କାର ରାଜସ୍ୱ ମିଳିପାରିବାର ସମ୍ଭାବନା ଅଛି। କମ୍ପାନୀ ସିଏସ୍ଆର୍ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା,ଦକ୍ଷତା ବିକାଶ, ଜନଜୀବିକା ବିକାଶ,କ୍ରିଡା ଏବଂ କଳା ଓ ସଂସ୍କୃତି ଆଦି ବିଭିନ୍ନ ସାମାଜିକ କ୍ଷେତ୍ରରେ ସ୍ଥାନୀୟ ଜନସାଧାରଣଙ୍କର ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶିଳ୍ପରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜେଏସ୍ପିଏଲ୍ର ବାର୍ଷିକ ୨୫.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା କାରିବାର ପ୍ରସ୍ତାବକୁ ପ୍ରଶଂସା କରିଥିଲେ। ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇସ୍ପାତ ଓ ଖଣି ବିଭାଗ ପ୍ରମୂଖ ଶାସନ ସବିବ ସୁରେନ୍ଦ୍ର କୁମାର ନିକଟରେ ଅଧିକ ଖଣି ନିଲାମ ମାଧ୍ୟମରେ ଇସ୍ପାତ ଶିଳ୍ପ ନିମନ୍ତେ ଅଧିକ କଞ୍ଚାମାଲ ଉପଲବ୍ଧ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ।