ଚାଷୀଙ୍କୁ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସ୍‌ପିଏଲ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡେସନ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଯାନ୍ତ୍ରିକ କୃଷି ଉପକରଣ ସହାୟତା ପ୍ରଦାନ କରାଯିବ। ଜେଏସପିଏଲ ଫାଉଣ୍ଡେସନର ଜିନ୍ଦଲ କୃଷି ବିକାଶ କାର୍ଯ୍ୟକ୍ରମରେ ଓଡିଶା ଓ ଛତିଶଗଡର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଉପକରଣ ସହାୟତା ପ୍ରଦାନ ସେମାନଙ୍କ ବିକାଶରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ସେମାନଙ୍କ ଶ୍ରମ କମ୍ ହେବ ସହିତ, କୃଷି ପାଇଁ ଖର୍ଚ୍ଚ କମ ହେବ ଏବଂ କୃଷି ଉତ୍ପାଦନ ବୃଦ୍ଧି କରିବ ବୋଲି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ, ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ଯାନ୍ତ୍ରିକ କୃଷି ଉପକରଣ କ୍ରୟ କରାଯାଇ ଏବଂ ସ୍ଥାନୀୟ କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଏଗ୍ରୋ ସେବା କେନ୍ଦ୍ର, କୃଷକ କ୍ଲବ୍‌, କୃଷକ କ୍ଲବ୍ ଫେଡେରେସନ୍‌, ଡେରୀ ସୋସାଇଟି, ଗ୍ରାମ ଜଳଛାୟା କମିଟି (ଭିଡବ୍ଲୁସି) ଭଳି କୃଷକ ସଂଗଠନଗୁଡ଼ିକୁ ହସ୍ତାନ୍ତରିତ କରାଯିବ। ସ୍ଥାନୀୟ କୃଷକ ସଂଗଠନ ସରକାର ଦେଉଥିବା ସବସିଡିକୁ ବାଦ ଦେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଯାନ୍ତ୍ରିକ କୃଷି ଉପକରଣ ପାଇ ପାରିବେ। କୃଷି ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଉପକରଣ ଯଥା ଟ୍ରାକ୍ଟର, ପାୱାର ଟିଲର, ପାୱାର ଚାଳିତ ସିଡ ଡ୍ରିଲ, ପାୱାର ୱିଡର, ପାୱାର ସ୍ପ୍ରେୟର, ପମ୍ପ ସେଟ – ୨ (୫କେଭି / ୩ କେଭି, ଟୁଲ କିଟ / ମେସିନାରୀ ରୁମ ଇତ୍ୟାଦି ଉପକରଣ ଯୋଗାଇ ଦିଆଯିବ।