ଝାଡ଼ଖଣ୍ଡର ଲୁଟେରା ଗ୍ୟାଙ୍ଗ ଭୁବନେଶ୍ୱରରୁ ଗିରଫ

୧୦୩ଟି ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଝାଡଖଣ୍ଡର ଏକ ଲୁଟେରା ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ଥାନା ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ସାହେବଗଞ୍ଜର ଦୀପକ କୁମାର(୧୯), କାଞ୍ଚନ ନୁନିଆ(୨୬), ଅଙ୍କିତ କୁମାର ପାଶୱାର(୧୯)। ଏମାନଙ୍କ ଠାରୁ ୩ଟି ଆଇଫୋନ୍ ସମେତ ୧୦୩ଟି ଦାମୀ ମୋବାଇଲ ଜବତ କରାଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ତେବେ ଏହି ଲୁଟେରା ଗ୍ୟାଙ୍ଗ୍ ସହିତ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, ଗତ ୩୧ ତାରିଖ ସନ୍ଧ୍ୟା ବେଳେ ପ୍ରଭାକର ଗୋଏଁଖା ନାମକ ଜଣେ ବ୍ୟକ୍ତି କଳ୍ପନା ସ୍ଥିତ ଏକ ମଦ କାଉଣ୍ଟର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଜଣେ ଅଚିହ୍ନା ଯୁବକ ଆସି ତାଙ୍କ ପକେଟରୁ ଆଇଫୋନ୍-୧୨ ମୋବାଇଲଟି ଝାମ୍ପି ନେଇଥିଲା। ଗହଳି ଭିତରେ ସେହି ଯୁବକ ଜଣଙ୍କ କୁଆଡ଼େ ଉଭାନ ହୋଇଯାଇଥିଲେ। ଏହାପରେ ପ୍ରଭାକର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା।
ପରେ ପୁଲିସ ଘଟଣାର ତଦନ୍ତ କରିବାକୁ ଯାଇ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଲା। ଏହାପରେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତମାନେ ସ୍ଥାନୀୟ ଚିନ୍ତାମଣିଶ୍ୱର ଫିସେରି କଲୋନୀରେ ଏକ ଘର ଭଡା ନେଇ ରହୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଶନିବାର ବିଳମ୍ବିତ ରାତିରେ ଉକ୍ତ ଘରେ ଚଢାଉ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଲୁଟେରମାନେ ରହୁଥିବା ଘର ପୁଲିସ ଯାଞ୍ଚ କରିବାରୁ ସେଠାରୁ ପ୍ରଭାକରଙ୍କ ଲୁଟ୍ ହୋଇଥିବା ମୋବାଇଲ୍ ସମେତ ଆହୁରି ୧୦୨ଟି ମୋବାଇଲ ମିଳିଲା। ଏହାପରେ ପୁଲିସ ସେଗୁଡ଼ିକ ଜବତ କରି ଥାନାକୁ ଆଣିଲା।
ପରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାରୁ କହିଥିଲେ ଯେ, ଭୁବନେଶ୍ୱରର ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ସହିଦନଗର, ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଏକାକୀ ଓ ଅବହେଳା ଅବସ୍ଥାରେ ଛିଡା ହୋଇଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ।