ଝରାଫୁଲଙ୍କୁ ରାକେଶ ମର୍ଡର କରିଛି: ଏସପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରେମିକ ରାକେଶ ସ୍ୱାଇଁ ତାଙ୍କୁ ହତ୍ୟା କରିଛି। ଏଥିରେ ରାକେଶର ବନ୍ଧୁ ଅମରେଶ ଓ ଶକ୍ତିଶେଖର ସହଯୋଗ କରିଥିବା ଯାଜପୁର ଏସପି ରାହୁଲ ପି.ଆର୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ସିଧାସଳଖ ନକହି ବୁଲେଇ ବଙ୍କେଇ ଝରାଫୁଲଙ୍କୁ ରାକେଶ ମର୍ଡର କରିଥିବା ଏସପି କହିଛନ୍ତି। ଏନେଇ ଯାଜପୁର ପୁଲିସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ଏସପିଙ୍କ ମନ୍ତବ୍ୟରୁ ଝରାଫୁଲକୁ ରାକେଶ ହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି।
ସେ ଆହୁରି କହିଛନ୍ତି, ଝରାଫୁଲ ହତ୍ୟା ମାମଲାରେ ରାକେଶର ସହଯୋଗୀ ଅମରେଶ ରାଉତକୁ ଗିରଫ କରାଯାଇଛି। ଝରାଫୁଲଙ୍କୁ ଯେଉଁ ରୁମରେ ରାକେଶ ହତ୍ୟା କରିଥିଲା, ସେହି ରୁମ୍ ଅମରେଶ ବୁଝି ଦେଇଥିଲା। ଏହାସହ ହତ୍ୟାକାଣ୍ଡ ଷଡ଼ଯନ୍ତ୍ରରେ ସାମିଲ୍ ଥିଲା। ଅମରେଶ ରାକେଶର ଘନିଷ୍ଠ ବନ୍ଧୁ। ଗୋଟିଏ ଗାଁରେ ରୁହନ୍ତି। ଘଟଣା ଦିନଠୁ ଅମରେଶ ଫେରାର୍ ଥିଲା। ତାକୁ ଟ୍ରାକ୍ କରି ଯାଜପୁର ପୁଲିସ ଧରିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରମାଣ ଏକାଠି କରାଯାଉଛି। ଏଥିପାଇଁ ଫରେନ୍ସିକ୍ ବିଭାଗର ସହାୟତା ନିଆଯାଇଛି। ଏହି ମାମଲାର ଅନ୍ୟ ଅଭିଯୁକ୍ତ ଶକ୍ତିଶେଖର ଫେରାର ରହିଛି। ତାକୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ଯାଜପୁର ଏସପି କହିଛନ୍ତି।