Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମୁଦ୍ର ଭିତରେ ଦୁର୍ବଳ ହେଉଛି ‘ଜୱାଦ’, ଛୁଇଁବନି ଓଡ଼ିଶା ଉପକୂଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମୁଦ୍ର ଭିତରେ ଦୁର୍ବଳ ହେଉଛି ‘ଜୱାଦ’, ଛୁଇଁବନି ଓଡ଼ିଶା ଉପକୂଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହେଉଛି। ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣ-ପୂର୍ବ ଦିଗରେ ଗୋପାଳପୁରରୁ ୨୬୦, ପୁରୀରୁ ୩୩୦ ଓ ପାରାଦ୍ୱୀପରୁ ୪୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଛି। ଶନିବାର ମଧ୍ୟରାତ୍ରୀରୁ ରବିବାର ସକାଳ ମଧ୍ୟରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବା ସହ ଏକ ସଦୃଶ ଲଘୁଚାପରେ ପରିଣତ ହେବ। ରାତି ସୁଦ୍ଧା ଏହା ସମୁଦ୍ରରେ ନିଜ ଦିଗ ପରିବର୍ତ୍ତନ କରିବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ। ରବିବାର ମଧ୍ୟାହ୍ନରେ ପୁରୀର ନିକଟବର୍ତ୍ତୀ ହେବ, ତେବେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା କମ୍। ଓଡ଼ିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ମୁହାଁ ହେବାକୁ ଥିବାବେଳେ ପ୍ରଭାବରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବା ସହ ୬୦ରୁ ୭୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଜୱାଦ ଓଡ଼ିଶା ଉପକୂଳ ଛୁଇଁ ନ ପାରେ। ଶୁକ୍ରବାର ବାତ୍ୟା ଜୱାଦ ସମୁଦ୍ରରେ ଯେତିକି ବଳବାନ ହେଉଥିଲା ଶନିବାର ସେତିକି ବଳହୀନ ହୋଇଛି। କ୍ରମାଗତ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ସାମାନ୍ୟ ଉତ୍ତର ମୁହାଁ ହେବା ସମୟରେ ଶିଥିଳ ହୋଇଯାଇଛି। ଶନିବାର ରାତିରେ ନିଜ ଦିଗ ପରିବର୍ତ୍ତନ କରିବା ସମୟରେ ଏହା କ୍ରମଶଃ ଆହୁରି ଦୁର୍ବଳ ହେବ। ବଡ଼ କଥା ହେଉଛି ବାତ୍ୟା ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ରବିବାର ଏହା ସ୍ଥଳଭାଗ ନିକଟତର ହେବ ସତ, କିନ୍ତୁ ସ୍ଥଳଭାଗ ନ ଛୁଇଁ ଉପକୂଳ ପାଖେ ପାଖେ ପଶ୍ଚିମବଙ୍ଗକୁ ପ୍ରବେଶ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ମଧ୍ୟ କହିଛନ୍ତି। ପୁରୀ ଉପକୂଳ ନିକଟରେ ପହଞ୍ଚିବା ପରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି। ବାତ୍ୟା ଦୁର୍ବଳ ହେଲେ ବି ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ପବନର ବେଗ ଯଦିଓ କମ ରହିବ କିନ୍ତୁ ଉତ୍ତର ଉପକୂଳବର୍ତ୍ତୀ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ କେନ୍ଦ୍ରୀୟ ଓଡ଼ିଶାର ୯ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରହିଛି। ସେହିପରି ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ରହିଛି। ଆସନ୍ତା ୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ।

ସାଧାରଣତଃ ଡିସେମ୍ବରରେ ସମୁଦ୍ର ପୃଷ୍ଠର ତାପମାତ୍ରା ଉପକୂଳ ଅଞ୍ଚଳରେ କମ୍ ରହିଥାଏ। ବାୟୁ ମଣ୍ଡଳର ଉପରି ଭାଗରେ ବାୟୁ ପ୍ରଭାବର ତୀବ୍ରତା (ଅପସାରଣ) ବାତ୍ୟାକୁ ଶକ୍ତିଶାଳୀ କରୁଥିଲା। ବାତ୍ୟା ଉପକୂଳ ମୁହାଁ ହେବା ସହ କମ୍ ତାପମାତ୍ରା ଏବଂ ପୃଷ୍ଠରୁ ଗଭୀରତା ମଧ୍ୟରେ ଥିବା ଥର୍ମାଲ ଏନର୍ଜି କମିବାରୁ ବାତ୍ୟା ଧିରେ ଧିରେ ଦୁର୍ବଳ ହେଉଛି ବୋଲି ବିଶେଷଜ୍ଞ ଶ୍ରୀ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ଯୋଗୁ ସମୁଦ୍ର ଅଶାନ୍ତ ରହୁଛି। ଫଳରେ ସମୁଦ୍ରରେ ସ୍ୱାଭାବିକଠୁ ଦେଢ଼ ଫୁଟ ଅଧିକ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି। ରବିବାର ମଧ୍ୟ ସମୁଦ୍ରରେ ବଡ଼ ଜୁଆର ଆସିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି। ଶନିବାର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ପରି ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ବର୍ଷା ଓ ପବନ ଯୋଗୁଁ ଚାଷ ଅଧିକ କ୍ଷତିଗ୍ରସ୍ତ ହେବ। ଚାଷ ଓ ଫସଲ କ୍ଷୟକ୍ଷତିର ଆକଳନ ବାତ୍ୟା ଅତିକ୍ରମ କରିବାର ସପ୍ତାହକ ମଧ୍ୟରେ କରାଯିବ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି।

ପବନ କମୁଥିବାରୁ ବିଶେଷ ସ୍ଥାନାନ୍ତରଣ ଆବଶ୍ୟକତା ନାହିଁ। କେବଳ ବର୍ଷାକୁ ଦେଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ତଳିଆ ଅଞ୍ଚଳରୁ କିଛି ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସବୁ ଜିଲ୍ଲାରେ ଓଡ୍ରାଫ୍‌, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ପବନ ସମୟରେ ଲୋକମାନେ ଘରୁ ବାହାରନ୍ତୁ ନାହିଁ। କଚ୍ଚା ଘରେ ରହୁଥିଲେ ପକ୍କା ଘରକୁ ଚାଲିଯିବାକୁ ଏସଆରସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଓଡ଼ିଶା ଉପରୁ ବାତ୍ୟା ବିପଦ ପ୍ରାଥମିକ ଭାବେ ଟଳିଥିବା ପାଣିପାଗ କେନ୍ଦ୍ର କେନ୍ଦ୍ର ଆକଳନ କରିଥିବାବେଳେ ଉପକୂଳ ଜିଲ୍ଲାରେ ବର୍ଷା ଫସଲ ଉଜାଡ଼ି ଦେଇଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଜିଲ୍ଲାର ଶହ ଶହ ହେକ୍ଟର ଚାଷ ଜମିରେ ଅମଳ ଗଜା ହେବା ଆଶଙ୍କା ପ୍ରକାଶ ପାଇଛି। କିଛି ଜମିରେ ବର୍ଷା ପୂର୍ବରୁ ଫସଲ କଟା ହୋଇନଥିବାବେଳେ କିଛି ଜମିରେ ଫସଲ କଟା ହୋଇ ପଡ଼ି ରହିଥିବା ନଜରକୁ ଆସିଛି।