ଜ୍ୟାକଲିନଙ୍କ ପ୍ରଥମ ଡିଜିଟାଲ କଭର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲକଡାଉନ ଆରମ୍ଭ ହେବା ଦିନରୁ ହିଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସଲମାନ ଖାନଙ୍କ ପନୱେଲସ୍ଥିତ ଫାର୍ମ ହାଉସରେ ଅଛନ୍ତି। ଜ୍ୟାକଲିନ ଭାବିଥିଲେ ଲକଡାଉନ ଅଧିକ ଦିନ ରହିବ ନାହିଁ। ମାତ୍ର ପ୍ରଥମ, ଦ୍ୱିତୀୟ ପରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି। ତେଣୁ ବସି ବସି ବୋର ହେବା ଅପେକ୍ଷା ଫାର୍ମହାଉସରୁ ହିଁ କାମ ଆରମ୍ଭ କରିଦେଇଛନ୍ତି ଜ୍ୟାକଲିନ। ନିକଟରେ ସେ ‘ହାରପର ବଜାର’ର ଡିଜିଟାଲ କଭର ପାଇଁ ଫଟୋସୁଟ କରିଛନ୍ତି। ଯେଉଁ ଘୋଡ଼ା ସହ ଜ୍ୟାକଲିନ ଫଟୋ ଉଠାଇଛନ୍ତି, ସେଇଟି ସଲମାନଙ୍କର। ନିକଟରେ ‘ହାରପର ବଜାର’ ଏ ଫଟୋଗୁଡ଼ିକ ସେୟାର କରିଛନ୍ତି ସୋସିଆଲ ମିଡିଆରେ। ଜ୍ୟାକଲିନ ସେଗୁଡ଼ିକୁ ରି-ପୋଷ୍ଟ କରିଛନ୍ତି।

‘ହାରପର ବଜାର’ ପକ୍ଷରୁ କୁହାଯାଇଛି, ‘ଲକଡାଉନ ବଢ଼ିବା ଖବର ପରେ ଆମେ ଜ୍ୟାକଲିନଙ୍କୁ ଏଭଳି ଏକ କଭର କ୍ରିଏଟ କରିବାକୁ କହିଥିଲୁ, ଯାହାକୁ ଦେଖିଲେ ଖୁସି ଲାଗିବ। ଜ୍ୟାକଲିନ ଏବେ ସଲମାନଙ୍କ ପନୱେଲସ୍ଥିତ ଫାର୍ମ ହାଉସ୍ରେ ରହି ପ୍ରକୃତିକୁ ଉପଭୋଗ କରୁଛନ୍ତି।’ ‘ହାରପର ବଜାର’କୁ ଦେଇଥିବା ସାକ୍ଷାତକାରରେ ଜ୍ୟାକଲିନ କହିଛନ୍ତି, ‘ଫାର୍ମ ହାଉସ୍ରେ ସୁରକ୍ଷିତ ଓ ଖୁବ ଭଲରେ ଅଛି। ଏଥିପାଇଁ ବହୁତ ଖୁସି ଅନୁଭବ କରୁଛି।’ ଜ୍ୟାକଲିନଙ୍କ ଟିମ୍ ସଦସ୍ୟ ସାଜନ ସିଂହ ମଧ୍ୟ ସେଠାରେ ଅଛନ୍ତି। ସେ ସଲମାନଙ୍କ ନୂଆ ଗୀତ ‘ପ୍ୟାର କରୋନା’ର ସୁଟିଂ ମଧ୍ୟ କରିଥିଲେ। ସାଜନଙ୍କ ସହାୟତାରେ ଜ୍ୟାକଲିନ ତାଙ୍କର ପ୍ରଥମ ଡିଜିଟାଲ କଭର ସୁଟିଂ କରିଛନ୍ତି।