ଭାରତ କାନ୍ସ ଆସିବନି କିନ୍ତୁ କାନ୍ସ ଭାରତରେ ହେବ: ଦୀପିକା ପାଦ୍ୟୁକୋନ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ସୁପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମେମ୍ବର ଭାବେ ସାମିଲ ହୋଇଛନ୍ତି । ଖାସ୍ କଥାଟି ହେଲା, ଏଥର ଭାରତକୁ ‘କଣ୍ଟ୍ରୀ ଅଫ ଅନର’ କରାଯାଇଛି । ଆଜି କାନ୍ସରେ ଭାରତୀୟ ପାଭିଲିୟନର ଉଦଘାଟନ କରାଯାଇଛି । ଏହି ଅବସରରେ ଦୀପିକା ନିଜ ମନ୍ତବ୍ୟ ଦ୍ୱାରା ସଭିଙ୍କ ପ୍ରଶଂସା ସାଉଣ୍ଟିଛନ୍ତି । ଦୀପିକା କହିଛନ୍ତି ଯେ, ଏମିତି ଗୋଟିଏ ଦିନ ନିଶ୍ଚୟ ଆସିବ, ଯେତେବେଳେ ଭାରତ କାନ୍ସ ଆସିବନି କିନ୍ତୁ କାନ୍ସ ଭାରତରେ ହେବ ।

ଦୀପିକା ପାଦ୍ୟୁକୋନ କହିଛନ୍ତି ଯେ, ଚଳିତ ବର୍ଷ କାନ୍ସକୁ ୭୫ ବର୍ଷ ପୁରିବା ସହ ଭାରତ ମଧ୍ୟ ୭୫ ବର୍ଷ ପୂରଣ କରିଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଭାରତ ସ୍ପଟଲାଇଟ ଦେଶ ହେବ ଏବଂ ମୁଁ ଜୁରୀରେ ସାମିଲ ହେବି ଏକଥା କଦାପି ଭାବି ନଥିଲି । ୧୫ ବର୍ଷ ପୂର୍ବରୁ ଯେତେବେଳେ ଇଣ୍ଡଷ୍ଟ୍ରୀକୁ ଆସିଥିଲି ଭାବି ନଥିଲି କେହି ମୋ ପ୍ରତିଭା ଓ କଳାକୁ ଚିହ୍ନିବ । କିନ୍ତୁ ୧୫ ବର୍ଷ ପରେ ଜୁରୀରେ ସାମିଲ ହେବା ସହ ଦୁନିଆର ସବୁଠୁ ଭଲ ସିନେମାର ଅନୁଭୂତି ନେଇଥିବାରୁ ଆଭାର ବ୍ୟକ୍ତ କରୁଛି ।