ଆଜି ଭାରତ ବାଣିଜ୍ୟ ବନ୍ଦ ଡାକରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବାଣିଜ୍ୟ ବନ୍ଦ’ ଡାକରା ଦେଇଛି। ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ ମିଳିଛି। ବାଣିଜ୍ୟ ବନ୍ଦ ସମୟରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ଉପରେ କୌଣସି କଟକଣା କରାଯାଇ ନଥିବା ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଏହାକୁ ସମର୍ଥନ ଜଣାଇ ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ବିଭିନ୍ନ ସଂଗଠନ ଅନେକ ଜାଗାରେ ବାଣିଜ୍ୟ ବନ୍ଦକୁ ସ୍ୱତଃପ୍ରବୃତ୍ତ ଭାବେ ନୈତିକ ସମର୍ଥନ ଦେଇଛନ୍ତି। ବନ୍ଦକୁ ପରିବହନ କ୍ଷେତ୍ରରେ ଦେଶର ସର୍ବବୃହତ ସଂଗଠନ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଗଠନ ସମର୍ଥନ ଜଣାଇଛି। ଏହାଦ୍ୱାରା ଦେଶର ପରିବହନ କାର୍ଯ୍ୟରେ ନିୟୋଜିତ ୧ ଲକ୍ଷ ଟ୍ରକ ରାସ୍ତାକୁ ଆସିବେ ନାହିଁ।

ଭାରତ ବନ୍ଦ ଡାକରା ଯୋଗୁଁ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ବନ୍ଦ ରହିବା ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବା ନେଇ ଲୋକମାନେ ଆଶଙ୍କା କରିଥିବାବେଳେ ଏହା ଉପରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଭାରତ ବାଣିଜ୍ୟ ବନ୍ଦ ପରିପ୍ରେକ୍ଷୀରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବନାହିଁ। ଏସବୁ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ଏହାକୁ ବନ୍ଦ କରିବା ନେଇ ସଂଘ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନଥିବା ସେ କହିଛନ୍ତି।

ବାଣିଜ୍ୟ ବନ୍ଦ ସମ୍ପର୍କରେ ସେ କହିଛନ୍ତି, ସରକାର ଜିଏସଟି ପରିଷଦ ଲାଭ ପାଇଁ ନିୟମକୁ ପରିବର୍ତ୍ତନ କରି ଚାଲିଛନ୍ତି। ଦେଶର ରାଜ୍ୟ ସରକାରମାନେ ଟିକସ ବ୍ୟବସ୍ଥାର ସରଳୀକରଣ ପାଇଁ ଚିନ୍ତା କରୁନାହାନ୍ତି। ବ୍ୟବସାୟ ପରିବର୍ତ୍ତେ ବ୍ୟବସାୟୀମାନେ ଜିଏସଟି ହିସାବ କରିବାରେ ବ୍ୟସ୍ତ ରହୁଛନ୍ତି। ଯାହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ଅନ୍ୟପକ୍ଷରେ ବନ୍ଦ ସମୟରେ ଯାନବାହନ, ରେଳ ଚଳାଚଳ ବନ୍ଦ ବେଳେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀ ଧାରଣା ଦେବାର ଆଶଙ୍କାକୁ ଦେଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସକାଳ ୯.୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଆଜି ସରକାରଙ୍କ ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଳା ଚିଠି ଲେଖି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।