ରାଜ୍ୟରେ ୧୬୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୬୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୮ଜଣ ଓ ସ୍ଥାନୀୟ ସଂକ୍ରମଣ ୬୨୫ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସମାନ ସଂଖ୍ୟକ ୨୭୪ ରହିଥିବାବେଳେ ରାୟଗଡ଼ାରୁ ୧୩୮, ସୁନ୍ଦରଗଡ଼ରୁ ୧୧୮, ସମ୍ବଲପୁରରୁ ୧୧୧, ପୁରୀରୁ ୯୨ ଓ କଟକ ଜିଲ୍ଲାରୁ ୯୮ ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଲେଖାଏଁ, ବାଲେଶ୍ୱର, ଗଜପତି, ବରଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ୬୧ ଓ ୪୮ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ବରଗଡ଼, ଭୁବନେଶ୍ୱର ଓ କେଉଁଝରରୁ ଜଣେ ଲେଖାଏଁ ୬୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେମାନେ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ୩୪ହଜାର ୯୦ଟି କରୋନା ଟେଷ୍ଟ ହୋଇଥିବାବେଳେ ୪୪ ହଜାର ୧୯୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨୮ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି ଓ ୨୫୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୫ ହଜାର ୧୮୯ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।