‘ଗଞ୍ଜେଇ ଗଛ ଲଗେଇଲେ ୨୦ ବର୍ଷ ଜେଲ, ମଦ ବିକିଲେ କେତେ ବର୍ଷ’

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଓ ଅଧ୍ୟୁଷିତ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଛି। ମାଓ ପୋଷ୍ଟରରେ କେକେବିଏନ୍ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ଲେଖାଥିବାବେଳେ ଗଞ୍ଜେଇ ଗଛ ଲଗାଇବାରେ ନିୟନ୍ତ୍ରଣ ଆଣନ୍ତୁ ବୋଲି ଏଥିରେ ଆହ୍ୱାନ ଦିଆଯାଇଛି। ସୁଧାରବାଦୀ ଓ ସୁବିଧାବାଦୀ ରାଜନୀତି ଛାଡ଼ି ରାଜନେତାମାନେ ଅଧିକାର ଲଢ଼େଇରେ ସାମିଲ ହୁଅନ୍ତୁ ବୋଲି ସେଥିରେ ଲେଖାଯାଇଛି। ଗଞ୍ଜେଇ ଗଛ ଲଗେଇଲେ ୨୦ ବର୍ଷ ଜେଲ, ତେବେ ମଦ ବିକିଲେ କେତେ ବର୍ଷ ଜେଲ ହେବ ବୋଲି ପୁଲିସ ପ୍ରଶାସନ ପାଖରେ ଦାବି କରନ୍ତୁ ବୋଲି ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ମାଓବାଦୀ ବାହାନା ଦେଖାଇ ନିଜ ଦାୟିତ୍ୱ ତୁଲାଉନଥିବା କିଛି ସରକାରୀ କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିପରି କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ହେବାକୁ ଥିବା ୪ଟି ସିଆର୍ପିଏଫ କ୍ୟାମ୍ପକୁ କନ୍ଧମାଳବାସୀ ବିରୋଧ କରନ୍ତୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର କର୍ମଚାରୀମାନେ ଦୁର୍ନୀତିରେ ସମ୍ପୃକ୍ତ ରହି ମାଓବାଦୀଙ୍କ ନାମରେ ବିଭିନ୍ନ ଆଳ ଦେଖାଇ ଉନ୍ନତିକୁ ପ୍ରତିରୋଧ କରୁଥିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହି ମାଓ ପୋଷ୍ଟର ଅଞ୍ଚଳରେ ଦେଖାଯିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି।