ଭୁବନେଶ୍ୱର ମ୍ୟୁନିସିପାଲିଟି ଦ୍ଵାରା ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ: କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ଵର ମ୍ୟୁନିସିପାଲିଟି ଏବେ ଭୁବନେଶ୍ଵର ସହରାଞ୍ଚଳରେ ବସବାସ କରୁଥିବା ଘର ମାଲିକମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛି ତାହା ସମ୍ପୂର୍ଣ୍ଣ ଭାବେ ବେଆଇନ। ମ୍ୟୁନିସିପାଲିଟି ଅଧିକାରୀମାନଙ୍କର ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସିପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବଳୀକୁ ଉଲ୍ଲଂଘନ କରୁଛି। ମୁଷ୍ଟିମେୟ ଅଣଓଡ଼ିଆ ବାବୁମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଯୋଗୁଁ ଆଜି ଏପରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି କି, ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ଵର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି। ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସ ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି। ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀବାବୁ ମାନଙ୍କର ବେପରୁଆ ମନୋଭାବ।

ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ଵର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା। ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀ ସହରାଞ୍ଚଳରେ ଆଲୁଅ ବ୍ୟବସ୍ଥା, ଅଳିଆ ଆର୍ବଜନା ଓ ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ରାସ୍ତାଘାଟକୁ ପରିସ୍କାର ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି। ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି। ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାମ୍ପେସ, ଫାଇନ ଫି ଆଦାୟ କରିଥାନ୍ତି। ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଞ୍ଚଳରେ ଜମିର ବେଞ୍ଚମାର୍କ ଦାମରେ ଟ୍ୟାକ୍ସ ଆଦାୟ କରୁଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୁଚନା ଦେଇ କହିଛନ୍ତି ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ଵରରେ ଆନ୍ଦୋଳନ କରିବ।