ହୀରାକୁଦ ଡ୍ୟାମର ୨୦ ଗେଟ୍ ଖୋଲା

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମ୍ ଉପରମୁଣ୍ଡ ଓ ତଳମୁଣ୍ଡରେ ଗତକାଲି ଠାରୁ ବର୍ଷା କମି ଯାଇଥିବା ବେଳେ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଡ୍ୟାମ୍ କଣ୍ଟ୍ରୋଲ ରୁମ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ସୋମବାର ଅପରାହ୍ଣ ୩ଟାରେ ଡ୍ୟାମର ଜଳସ୍ତର ୬୨୫.୫୨ ଫୁଟ୍ ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୨ ହଜାର ୧୧୯ ଘନଫୁଟ୍ ଜଳ ପ୍ରବେଶ କରୁଛି। ଡ୍ୟାମରୁ ପ୍ରତି ସେକେଣ୍ଡରେ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ୩ ଲକ୍ଷ ୨୧ ହଜାର ୯୬୦ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।

ଏହା ସହିତ ପାୱାର ଚ୍ୟାନେଲରେ ୧୮ ହଜାର ୪୮୭, କେନାଲ ବ୍ୟବସ୍ଥାରେ ୧ ହଜାର ୫୦୨ ଘନଫୁଟ୍ ଜଳ ନିଷ୍କାସନ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରତି ସେକେଣ୍ଡରେ ୧୭୦ ଘନଫୁଟ୍ ଜଳ ଯୋଗାଇ ଦିଆଯାଉଛି। ରବିବାର ସକାଳୁ ସୋମବାର ସକାଳ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡ ଓ ତଳମୁଣ୍ଡରେ ହାରାହାରି ବୃଷ୍ଟିପାତ ଯଥାକ୍ରମେ ୦୫.୪୯ ଓ ୦୬.୧୮ ମି.ମି. ରେକର୍ଡ କରାଯାଇଛି।

ସୋମବାର ଅପରାହ୍ଣ ୩ଟାରେ ଡ୍ୟାମ୍ ତଳମୁଣ୍ଡରେ ମହାନଦୀରେ ପ୍ରତି ସେକେଣ୍ଡରେ ପର୍ଥଲାରେ ୧ ଲକ୍ଷ ୭୩ ହଜାର ୯୯୫, ଖଇରମାଲରେ ୫ ଲକ୍ଷ ୯୮ ହଜାର, ବରମୁଳରେ ୬ ଲକ୍ଷ ୭୨ ହଜାର ୨୫୦ ଏବଂ ମୁଣ୍ଡୁଳିରେ ୭ ଲକ୍ଷ ୪୨ ହଜାର ୬୩୧ ଘନଫୁଟ୍ ଜଳ ପ୍ରବାହିତ ହେଉଛି। ପର୍ଥଲା ଓ ଖଇରମାଳରେ ଜଳପ୍ରବାହ ହ୍ରାସ ପାଉଥିବା ବେଳେ ବରମୂଳ ଓ ମୁଣ୍ଡୁଳିରେ ସ୍ଥିର ରହିଛି।