ବାତ୍ୟା ‘ଗୁଲାବ୍’ ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରେଡ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ଗୁଲାବ୍ ଆଜି ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲାକାନଗିରିରେ ସକାଳୁ ବାତ୍ୟା ‘ଗୁଲାବ’ ପ୍ରଭାବରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା କାଲି ପର୍ଯ୍ୟନ୍ତ ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ।

ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୭୫ ରୁ ୯୫ କିମି, ରାୟଗଡା, କୋରାପୁଟ, ଖୋର୍ଦ୍ଧା, ପୁରୀ, ଜିଲ୍ଲାରେ ୫୫ ରୁ ୭୫ କିମି, ମାଲକାନଗିରିରେ, ନବରଙ୍ଗପୁରରେ ୫୦ ରୁ ୭୦ କିମି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୪୫ ରୁ ୬୫ କିମି ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି । ଏହା ସହିତ କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଜଗତସିହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା କାଲି ଅର୍ଥାତ୍ ୨୭ ତାରିଖ ପାଇଁ ମାଲାକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ରାୟଗଡ଼ା, ବଲାଙ୍ଗିର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।