ସେପ୍ଟେମ୍ବର ୪ରୁ ବର୍ଷିବ

  • ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଚଳିତ ମୌସୁମୀ ସିଜନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୨୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ୬୪୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ, ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୪୦ କିମ୍ବା ତା’ଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୪ଟି ଜିଳ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଯାଜପୁରରେ ୫୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୪୯ ପ୍ରତିଶତ, ବଲାଙ୍ଗିରରେ ୪୫ ପ୍ରତିଶତ ଏବଂ ଅନୁଗୁଳରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କେବଳ ଅଗଷ୍ଟ ମାସରେ ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।