ଟିକାପାଇଁ ପୁଣି କେନ୍ଦ୍ରକୁ ଚିଠିଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ୍-୧୯ ଟିକାର ସ୍ୱଳ୍ପ ଓ ଅନିୟମିତ ଯୋଗାଣ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପୁଣିଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ନିକଟକୁ ଚିଠି ଲେଖିଛନ୍ତି। ଅତ୍ୟନ୍ତ ୧୦ ଦିନପାଇଁ ପ୍ରାୟ ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଜରୁରିକାଳୀନ ଭିତ୍ତିରେ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି ନବ।
ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଆଜି ସୁଦ୍ଧା ଓଡ଼ିଶାକୁ ମୋଟ୍ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା ଯୋଗାଇ ଦିଆଯାଇଛି। ତା ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ଟିକା ହୋଇଥିବା ବେଳେ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା। ତେବେ ବର୍ତ୍ତମାନ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରମାନଙ୍କରେ କୌଣସି କୋଭିସିଲ୍ଡ ଟିକାନାହିଁ। ନିକଟରେ ଆସିଥିବା ୧ ଲକ୍ଷ ୭୪ ହଜାର ୪ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍ କୋଭାକ୍ସିନ ଟିକାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ପ୍ରତ୍ୟେକ ଦିନ ତିନି ଲକ୍ଷ ଟିକାକରଣର କ୍ଷମତା ରହିଛି। ମାତ୍ର ଏହି ସମୟରେ ରାଜ୍ୟକୁ ମାତ୍ର ୨ ରୁ ୩ ଲକ୍ଷ ଡୋଜ୍ ଟିକା ମିଳୁଛି। ରାଜ୍ୟ ଭାକ୍ସିନ୍ ଷ୍ଟୋରରୁ ଆଞ୍ଚଳିକ ଭାକ୍ସିନ୍ ସବସେଣ୍ଟର ଓ ଜିଲ୍ଳା ଭାକ୍ସିନ୍ ସବସେଣ୍ଟରକୁ ଟିକା ପହଞ୍ଚିବାକୁ ୩ ଦିନ ସମୟ ଲାଗିଯାଉଛି। ଏଣୁ ଏଭଳି ଅନିୟମିତ ଟିକା ଯୋଗାଣ ଯୋଗୁଁ କମ୍ୟୁନିଟି ସେଣ୍ଟର ଗୁଡ଼ିକରେ ଯୋଜନା ମୁତାବକ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି।