ଏଣିକି ସ୍କୁଲପିଲାଙ୍କୁ ମାଗଣା ଜୋତା ଓ ଡ୍ରେସ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆକ୍ସନମୁଡରେ ସ୍କୁଲ ଓ ଗଣଶିକ୍ଷା ବିଭାଗ। ସ୍କୁଲଗୁଡିକର ଉନ୍ନତି ସାଙ୍ଗକୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସବୁ ଛାତ୍ରଛାତ୍ରୀଙ୍କୁ ଜୋତା ଓ ଡ୍ରେସ୍ ଦିଆଯିବ ବୋଲି ବୁଧବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶସୂଚନା ଦେଇଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି ଯେ, ଆସନ୍ତାବର୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ପୂର୍ବରୁ କେବଳ ବିପିଏଲ ପରିବାରରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଜୋତା ଦିଆଯାଉଥିବା ବେଳେ ଏଣିକି ସବୁ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏହାବ୍ୟତୀତ ସ୍କୁଲରେ ଛାତ୍ରଛାତ୍ରୀମାନେ ତଳେ ବସିବା ପରିବର୍ତ୍ତେ ସ୍କୁଲରେ ଥିବା ମ୍ୟାଟ ବ୍ୟବହାର କରିବେ ବୋଲି ମଧ୍ୟ ସେ କହିଛନ୍ତି। ସେହିଭଳି ପୂର୍ବଭଳି ସ୍କୁଲର ସମୟସୀମା ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ନୂତନ ନିୟମ ଅନୁଯାୟୀ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳସାଢ଼େ ୯ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀ ରହିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ବର୍ତ୍ତମାନ ଏହବାକୁ ପୁଣି ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ସେହିପରି ଚଳିତବର୍ଷ ଠାରୁ ପ୍ରଥମକରି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ।

ଛାତ୍ରଛାତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସ୍କୁଲରେ ଯେପରି ଛାତ୍ରଛାତ୍ରୀଙ୍କ ଲାଗି ସବୁ ମୌଳିକ ସୁବିଧା ରହିବ ସେ ଦିଗରେଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ ପରିସର ପରିସ୍କାର ଓ ପରିଚ୍ଛନତା ରଖିବା ସହ ପିଲାଙ୍କୁ ଫିଲଟର ପାଣି ପିଇବାକୁ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।