ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରେ ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ୟାସ୍। ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ୪ ଜିଲ୍ଲାରେ ବେଶି ପ୍ରଭାବ ପଡିବ। ଏହି ୪ ଜିଲ୍ଲାରେ ଭୀଷଣ ବର୍ଷା ସହିତ ପବନ ବେଗ ମଧ୍ୟ ଅଧିକ ରହିବ ବୋଲି ଆଜି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେବା ପରେ ହିଁ ଏହାକୁ ଟ୍ରାକ୍ କରାଯାଇପାରିବ ଓ ଏହାର ଗତିବିଧି ସ୍ପଷ୍ଟ ହୋଇପାରିବ। ତେବେ ଓଡ଼ିଶାର ୪ ଜିଲ୍ଲାରେ ଏହି ବାତ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିବ। ବାଲେଶ୍ୱର, ଭଦ୍ରକ୍, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ବାତ୍ୟା ଅତିକ୍ରମ କରିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ଓ ପବନର ହେବ।
ଏହି ସବୁ ଜିଲ୍ଲା ଗୁଡିକରେ ମେ’ ୨୪ ତାରିଖରେ ୪୦-୫୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଥିବା ବେଳେ ମେ’ ୨୫ ତାରିଖରେ ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ମେ’ ୨୬ ତାରିଖ ଦିନ ୧୦୦-୧୧୦ ମଧ୍ୟରେ ପବନର ବେଗ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।