ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିକୁ ଠିକ୍ ୧୩୭ ବର୍ଷ ତଳେ କଂଗ୍ରେସ ଦଳ ପ୍ରତିଷ୍ଠା କରାଯାଇ ଦେଶକୁ ସ୍ୱାଧୀନ କରିବା ପାଇଁ ଯେଉଁ ମହାମନିଷୀମାନେ ତ୍ୟାଗ ଓ ବଳିଦାନ ଦେଇଥିଲେ ତାକୁ ଆଜି ଆମେ ସ୍ମରଣ କରିବା ଉଚିତ। ମହାତ୍ମା ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ପରିଚୟ ଦେବା ପାଇଁ ଯେଉଁ ପ୍ୱପ୍ନ ଦେଖିଥିଲେ ଆଜି ସେହି ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି। ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଚିନ୍ତାଧାରା ଓ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଆଜି ଆମେ ସଂକଳ୍ପ ନେବା ଜରୁରୀ। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ସେବାଦଳ ଅଧ୍ୟକ୍ଷ ଡା. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ଏମଡି ଶାହାଦୁଲ୍ଲା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ ଓ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।