ନିୟନ୍ତ୍ରଣକୁ ଆସୁଛି ବନାଗ୍ନି ସ୍ଥିତି , ୭୦୦ ଫାୟାର ଆଲର୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟରେ ବନାଗ୍ନି ପ୍ରଶମନ ଏବଂ ପରିଚାଳନା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଗତକାଲି ରାଜ୍ୟରେ ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ଆଲର୍ଟ ସମେତ ସର୍ବମୋଟ୍ ୭୦୦ଟି ଫାୟାର ଆଲର୍ଟ ପଞ୍ଜୀକରଣ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଅଗ୍ନି ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଶିମିଳିପାଳ ଜଙ୍ଗଲ ସମେତ ରାଜ୍ୟର କିଛି ଅଂଶରେ ଗତକାଲି ବର୍ଷା ହୋଇଛି; ଯାହା ରାଜ୍ୟରେ ବନାଗ୍ନି ବିସ୍ତାରକୁ ରୋକିବାରେ ସହାୟକ ହେବ ବୋଲି ଜଙ୍ଗଲ ନିଆଁ ପରିଚାଳନା ଲାଗି ଗଠିତ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବନାଗ୍ନି ଯେପରି ବିସ୍ତାର ନହୁଏ ସେଥିପାଇଁ ସତର୍କ ରହିବାକୁ ସରକାର ବନ କର୍ମଚାରୀମାନଙ୍କୁ ସଜାଗ ରହିବା ପାଇଁ କହିଛିନ୍ତି। ରାତିରେ ପାଟ୍ରୋଲିଂ କରିବା ସହ ଅଗ୍ନି ସତର୍କତା ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫରେଷ୍ଟ ଆଇଟି ଏବଂ ଜିଓମେଟିକ୍ ସେଣ୍ଟର ଦ୍ୱାରା ପ୍ରତିଦିନ ଉପଗ୍ରହରୁ ପ୍ରାପ୍ତ ତଥ୍ୟକୁ ବିଟ୍ ସ୍ତରର କର୍ମଚାରୀଙ୍କ ନିକଟକୁ ଅବିଳମ୍ବେ ପଠାଯାଉଛି। କ୍ଷେତ୍ର ବନକର୍ମଚାରୀ ପ୍ରାପ୍ତ ସୂଚନା ଆଧାରରେ ଫାୟାର ପଏଣ୍ଟକୁ ଯିବା ପରେ ଓଏମ୍ଏଫ୍ଏସ୍ରେ ଫଟୋ ସହିତ ସୂଚନା ଅପ୍ଲୋଡ୍ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ଏହି ସମସ୍ତ ଅଗ୍ନି ପଏଣ୍ଟଗୁଡ଼ିକରୁ ୯୫%ରୁ ଅଧିକ ସ୍ଥାନର ନିରାକରଣ କରାଯାଇଛି। ୨୪ ଘଣ୍ଟିଆ ଫରେଷ୍ଟ ଫାୟାର ସେଲ୍ କାର୍ଯ୍ୟ କରୁଛି। ପିସିସିଏଫ୍ ଅଫିସ୍ ଫାୟାର ସେଲର ନିଃଶୁଳ୍କ ନମ୍ବର ୧୮୦୦-୩୪୫୭-୧୫୮ ଉପଲବ୍ଧ ରହିଛି। ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସେଲଫ ହେଲ୍ପ୍ ଗ୍ରୁପ୍ ସହାୟତାରେ ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ସୁଦୃଢ଼ କରିବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୭୧୮ ଭିଏସଏସ୍ ସହିତ ଜଡ଼ିତ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ପାଇଁ ଧାରାବାହିକ ବୈଠକ ଅନୁଷ୍ଠିତ ହେଉଛି। ଅଗ୍ନି ନିୟନ୍ତ୍ରଣରେ ସେମାନଙ୍କ ସକ୍ରିୟ ଭୂମିକା ପାଇଁ ୩୦୦୦ ଭିଏସଏସ୍ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଟାସ୍କ ଫୋର୍ସର ଦୁଇଜଣ କେନ୍ଦ୍ର ସରକାରଙ୍କ ସଦସ୍ୟ ସୁବ୍ରତ ମହାପାତ୍ର ଏବଂ ଅମିତ୍ ମଲ୍ଲିକ ଶିମିଳିପାଳ ମଧ୍ୟରେ କ୍ୟାମ୍ପ୍ କରି ଜଙ୍ଗଲ ନିରୀକ୍ଷଣ କରୁଛନ୍ତି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ୨୫ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ୍ ଦଳ, ଜଙ୍ଗଲ କର୍ମଚାରୀଙ୍କ ସହିତ ଜଙ୍ଗଲରେ ନିଆଁ ଦମନରେ ନିୟୋଜିତ ଅଛନ୍ତି। ରାଜ୍ୟରେ ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସରକାର/ଟାସ୍କ ଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହିତ ଅଗ୍ନିକାଣ୍ଡ ପରିସ୍ଥିତିର ନିରନ୍ତର ଆକଳନ/ସମୀକ୍ଷା କରାଯାଉଛି।