ଭୁବନେଶ୍ବର,ଏନ୍ଏନ୍ଏସ୍: ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର ରେଳ ଷ୍ଟେସନରେ ଏହାର ଶୁଭାରମ୍ଭ ହୋଇଛି । ଏହି ଆଲୁମିନିୟମ ରେକ ପାରମ୍ପରିକ ରେକ ତୁଳନାରେ ୧୮୦ ଟନ ଅତିରିକ୍ତ ମାଲ ପରିବହନ କରିପାରିବ ।
ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହି ରେକ୍ ଓଡ଼ିଶାରୁ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଶେଷ କରି କୋଇଲା ପରିବହନ ପାଇଁ ଏହି ଆଲୁମୁନିୟମ ବଗିର ବ୍ୟବହାର ହେବ । ପୂର୍ବରୁ ଷ୍ଟିଲ ବଗିରେ ପରିବହନ କରାଯାଉଥିଲ। ଏହି ଆଲୁମୁନିୟମ ବଗି ଷ୍ଟିଲ ବଗି ତୁଳନାରେ ୧୮୦ ଟନ୍ ହାଲୁକା ହେବା ସହ ୫ରୁ ୧୦ ପ୍ରତିଶତ ଅଧିକା ପରିମାଣର ମାଲ ପରିବହନ କରିପାରିବ ଏବଂ ପୂର୍ବ ଠାରୁ କମ ଏନର୍ଜି ମଧ୍ୟ ଖର୍ଚ୍ଚ ହେବ । ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଏହି ବଗି ଗୁଡିକର ନିର୍ମାଣ କରିଛି। ୬୦ ବଗି ବିଶିଷ୍ଟ ଏହି ଟ୍ରେନ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରାକରେ ଚାଲିଛି ।
ତେବେ ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ କହିଛନ୍ତି, ” ରେଲୱେ ଆଜି ବହୁତ ବଡ଼ ଇନୋଭେସନ ହୋଇଛି । ତା’ଠୁ ବଡ଼ ଖୁସିର କଥା ହେଉଛି ଏହାର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । କମ ଓଜନ ବିଶିଷ୍ଟ ଆଲୁମିନିୟମରେ ତିଆରି ହୋଇଥିବା ରେଲୱେ ୱାଗନ ଆଜି ଲଞ୍ଚ ହୋଇଛି । ଏଥିରେ ନିୟୋଜିତ ହୋଇଥିବା ଇଞ୍ଜିନିୟରଙ୍କୁ ବହୁତ ଅଭିନନ୍ଦନ । ଏହି ୱାଗନରେ ଅନ୍ୟ ୱାଗନ ଅପେକ୍ଷା ଅଧିକ କାର୍ଗୋ ନିଆଯାଇପାରିବ । ଏଥିରେ କଳଙ୍କ ଲାଗିବ ନାହିଁ । ଅର୍ଥାତ ୩୦ ବର୍ଷ ପରେ ମଧ୍ୟ ଏହା ନୂଆ ଭଳି ରହିବ । ମରାମତି କାର୍ଯ୍ୟ ମଧ୍ୟ ବାରମ୍ବାର କରିବାକୁ ପଡିବ ନାହିଁ ।”
ଏହା ସାରା ଦେଶରେ ଲାଗୁ ହେବାକୁ ଥିବା ବେଳେ ଭୁବନେଶ୍ବରୁ ଏହାର ଶୁଭାରମ୍ଭ ହୋଇଛି । ତେବେ ପାସେଞ୍ଜର ବା ଯାତ୍ରୀବାହୀ ଟ୍ରେନରେ ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ । ଆଗକୁ ଏପରି ବହୁତ ୱାଗନ ତିଆରି ହେବାକୁ ଯାଉଛି । ଯେଉଁ ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ହାଇସ୍ପିଡ଼ ଲାଗି ତିଆରି ହେଉଛି ସେଥିରେ ମଧ୍ୟ ଏହି ଟେକ୍ନୋଲୋଜିର ବ୍ୟବହାର ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।
ଏହାସହିତ ରାଜ୍ୟରେ ଚାଲୁ ଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ବହୁ ଦିନ ଧରି ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବାକୁ ଥିବା ବେଳେ ଭୁବନେଶ୍ବର ରେଳ ଷ୍ଟେସନର ମଧ୍ୟ ନବକଳେବର କରାଯିବ । ଏହାକୁ ବିଶ୍ବସ୍ତରୀୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ପ୍ଲାନିଂ, ଡିଜାଇନ ଶେଷ ହୋଇଥିବା କହିଛନ୍ତି ଅଶ୍ବିନୀ ।