ଚାଷୀ ପୁଅ ଇସ୍ରୋ ବୈଜ୍ଞାନିକ

ଅମ୍ବାଭୋନା, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଝାରପାଳି ଗ୍ରାମର ଚାଷୀ ରାଜକୁମାର ପ୍ରଧାନଙ୍କ ପୁଅ ନିହାର ରଞ୍ଜନ ପ୍ରଧାନ ଇସ୍ରୋସ୍ଥିତ ଭାରତୀୟ ମହାକାଶ ବିଜ୍ଞାନ ଓ ବୈଷୟିକ ସଂସ୍ଥାନରେ ଯୁବ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଝାରପାଳି ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ମାଆ ପଙ୍କଜିନୀଙ୍କ ଚାରି ସନ୍ତାନ ମଧ୍ୟରୁ ସାନପୁଅ ହେଉଛନ୍ତି ନିହାରରଞ୍ଜନ(ନିତୁ)। ପିଲାଦିନୁ ନିହାର ଖେଳଣା ଖେଳୁଥିବା ବେଳେ ତାଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରାର ଉଦ୍ରେକ ହୋଇଥିଲା।

ମାଟ୍ରିକ୍ ଶିକ୍ଷାରେ ସେ ଜିଲ୍ଲାର ଶ୍ରେଷ୍ଠସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ପରେ ବିକାଶ କଲେଜରେ ବିଜ୍ଞାନ ବିଭାଗରେ ନାମ ଲେଖାଇ କୃତିତ୍ୱର ସହ ପାସ କରିଥିଲେ। ଏହାପରେ ସେ ଅବଦୁଲ କାଲାମଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ବୈଜ୍ଞାନିକ ଭାବେ ନିଜକୁ ଗଢ଼ିତୋଳିବାର ଲକ୍ଷ୍ୟରଖି ସଫଳତା ପାଇଥିଲେ। ଇସ୍ରୋସ୍ଥିତ ରକେଟ୍ ଟେକ୍ନୋଲୋଜି ବିଭାଗରେ ସଫଳତା ଆଣିବାକୁ ଉଦ୍ୟମ ଜାରିରଖିବେ ବୋଲି ପ୍ରକାଶ କରିଛନ୍ତି। ବୁଧବାର ନିତୁଙ୍କ ଜନ୍ମଦିବସରେ ନିଯୁକ୍ତି ଖବର ପହଞ୍ଚିବା ପରେ ଗ୍ରାମବାସୀ ଖୁସି ମନାଇଛନ୍ତି। ଗୁରୁବାର ସେ ତୀରୁବନ୍ତପୁରମଠାରେ ମହାକାଶ ବିଜ୍ଞାନ ଓ ବୈଷୟିକ ସଂସ୍ଥାନରେ ଯୋଗଦେବାର ସୂଚନା ଦେଇଛନ୍ତି।