ଫସଲ ନଷ୍ଟହେଲେ କ୍ଷତିପୂରଣ ପାଉନାହାନ୍ତି ଚାଷୀ, ବୀମା କମ୍ପାନୀ ମାଲାମାଲ୍

  • ଭୁବନେଶ୍ୱର: ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବୀମା ଯୋଜନା, ଚାଷୀଙ୍କ କାମରେ ଲାଗୁନି। ଦୈବି ଦୁର୍ବିପାକରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବାକୁ ଚାଷୀ ବୀମା କରୁଛନ୍ତି, ଉଭୟ ଚାଷୀ ଓ ସରକାର ପ୍ରିମିୟମ ପୈଠ କରୁଛନ୍ତି। ହେଲେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ଦେବାକୁ ବୀମା କମ୍ପାନୀ ଆଗେଇ ଆସୁନାହାନ୍ତି ବୋଲି ସମ୍ବଲପୁର ଜିଲ୍ଲାରୁ ଅଭିଯୋଗ ଆସିଛି। ବହୁ ଚାଷୀଙ୍କୁ ପ୍ରକୃତ ଫସଲ କ୍ଷତିର ବୀମା ରାଶି ମିଳୁନାହିଁ। ବରଗଡ ଜିଲ୍ଲା ପଦ୍ମପୁରରୁ ମଧ୍ୟ ଆସିଛି ସେହି ସମାନ ଅଭିଯୋଗ। ୨୦୨୦ ମସିହାରେ ଚାଷୀ ସମବାୟ ସମିତିରେ ଫସଲ ବୀମା କରିଥିଲେ। ଫସଲ ନଷ୍ଟ ହୋଇଥିବା ସତ୍ତେ୍ୱ ତାଙ୍କୁ କ୍ଷତିପୂରଣ ବୀମା ରାଶି ମିଳିନାହିଁ। ଏହାକୁ ନେଇ ଏବେ ରାଜନୀତି ତେଜିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା ଅଭିଯୋଗ ଆଣି କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି। ବୀମା କମ୍ପାନୀ ଚାଷୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ସହାୟତା ନକରି ଲାଭ କରୁଥିବା କହିଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏହି ହିସାବ ଦେଇ କହିଛନ୍ତି, ଖରିଫ୍ ୨୦୨୦ ସୁଦ୍ଧା ୬୧୬୩ କୋଟି ଟଙ୍କା ପ୍ରିମିୟମ ଦିଆଯାଇଥିଲା। ବୀମା ବାବଦରେ ଚାଷୀଙ୍କୁ ମିଳିଥିଲା ୫,୦୯୮ କୋଟି ଟଙ୍କା। ବୀମା କମ୍ପାନୀ ଲାଭ କରିଥିଲା ୧୦୬୪ କୋଟି ଟଙ୍କା। ଯାହା ମୋଟ ପ୍ରିମିୟମର ୧୭.୨୭ ପ୍ରତିଶତ।
    ୨୦୧୬ ଏପ୍ରିଲରୁ ଦେଶରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତ ୫ ବର୍ଷରେ ୧ଲକ୍ଷ ୨୬ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରିଛନ୍ତି ବୀମା କମ୍ପାନୀ। କିନ୍ତୁ ଚାଷୀଙ୍କୁ ବୀମା ଭରଣା କରିଛନ୍ତି ୮୭ ହଜାର ୩୨୦ କୋଟି ଟଙ୍କା। ଅର୍ଥାତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନୀଗୁଡିକ ଲାଭ କରିଛନ୍ତି ପ୍ରାୟ ୪୦ ହଜାର କୋଟି ଟଙ୍କା।