ଅସ୍ତ୍ରୋପ୍ରଚାରବେଳେ ତ୍ରୁଟି: କଟିଗଲା ମହିଳାଙ୍କ ଖାଦ୍ୟନଳୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାରବେଳେ ତ୍ରୁଟି ଯୋଗୁଁ ମହିଳାଙ୍କ ଖାଦ୍ୟନଳୀ କଟିଯିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଛି। ଫଳରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବୁର୍ଲାରେ ଚିକିତ୍ସାପରେ ଏବେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ମହିଳା ଜଣକ ହେଲେ ଲଖନପୁର ବ୍ଲକ୍ କନକତୋରା କୁହାକୁଣ୍ଡା ନିବାସୀ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ (୨୬)। ସୂଚନା ଅନୁଯାୟୀ, ଜିତେନ ଓ ସରିତାଙ୍କ ଏକ ୩ ବର୍ଷର ଶୁଶୁ ପୁତ୍ର ଓ ୭ ମାସର ଏକ ଝିଅ ଅଛନ୍ତି । ଗୋଟିଏ ପୁଅ ଓ ଝିଅ ଲାଭ ପରେ ସ୍ୱାମୀ ଓ ସ୍ତ୍ରୀ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାର କରିବାପାଇଁ ନିଷ୍ପତି ନେଇଥିଲେ।

ଏଥିପାଇଁ ଗତ ମଙ୍ଗଳବାର ସକାଳେ ସରିତାଙ୍କ ଅସ୍ତ୍ରୋପ୍ରଚାର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରେ ସରିତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ଅସ୍ତ୍ରୋପ୍ରଚାରରେ ହୋଇଥିଲା। ହେଲେ ଅସ୍ତ୍ରୋପଚାର ସମୟରେ ତାଙ୍କର ଖାଦ୍ୟନଳୀ କଟିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଲଖନପୁରରେ ଏହି ରକ୍ତସ୍ରାବକୁ ଡାକ୍ତରମାନେ ବନ୍ଦ କରି ପାରିନଥିଲେ। ଫଳରେ ସରିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ମଧ୍ୟ ଚିକିତ୍ସା ସମ୍ଭବ ନହେବାରୁ ବୁର୍ଲା ମେଡିକାଲକୁ ନିଆଯାଇଛି। ବୁର୍ଲାରେ ସରିତାଙ୍କ ପୁନଃ ଅସ୍ତ୍ରୋପଚାର କରାଯିବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବାସହ ଜଣେ ଡାକ୍ତରଙ୍କୁ ସରିତାଙ୍କ ବ୍ୟକ୍ତିଗତ ତଦାରଖ କରିବା ପାଇଁ ବୁର୍ଲା ପଠାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟ ପ୍ରକାଶ କରିଛନ୍ତି।