ଭୁବନେଶ୍ୱର,ଏନ୍ଏନ୍ଏସ୍: ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀ ଶାସକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ତଥ୍ୟ ଓ ପ୍ରମାଣ ସହ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିର୍ବାଚନ କମିଶନ ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ। ଏଭଳି କିଛି ଅଭିଯୋଗକୁ ନେଇ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ସହ ଏପରି ସ୍ଥଳେ ମୁକ୍ତ ଓ ଅବାଧ ନିର୍ବାଚନ କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି।
ଦଳ ପକ୍ଷରୁ ଦର୍ଶାଯାଇଛି ଯେ ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ପଦମପୁର ପଞ୍ଚାୟତ ଅନ୍ତର୍ଗତ ଡୁମୁଡୁମି ଛକଠାରେ ଲାଗିଥିବା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁବାଶିଷ ସାହୁଙ୍କ ବ୍ୟାନରକୁ ସ୍ଥାନୀୟ ତହସିଲଦାରଙ୍କ ସରକାରୀ ଗାଡ଼ିରେ ଆସି ବିଜେଡି କର୍ମୀମାନେ ଚିରିଫାଡ଼ି ଦେଇଥିଲେ। ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଏହାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜୋନ୍ ନଂ-୨ ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ଗ୍ରାମରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଖୋଲାଖୋଲି ଭାବେ ଟଙ୍କା ବଣ୍ଟନ କରିବାର ଭିଡିଓ ଭାଇରାଲ୍ ହୋଇଛି। ଏଭଳି ବେନିୟମ କାର୍ଯ୍ୟ ବିରୋଧରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରି ସ୍ଥଳେ ମୁକ୍ତ ଓ ଅବାଧ ନିର୍ବାଚନ କିଭଳି ହେବ ବୋଲି ଦଳ ପ୍ରଶ୍ନ କରିଛି।
ଅନ୍ୟପଟେ ପୌରାଧ୍ୟକ୍ଷ ପଦ ସଂରକ୍ଷଣକୁ ନେଇ ରାଜ୍ୟରେ ବଡ଼ ଚଞ୍ଚକତା ହୋଇଥିବା ବିଜେପି ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସୁନ୍ଦରଗଡ଼ ସମେତ ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ୩ଟି ମ୍ୟୁନିସିପାଲିଟି ରହିଛି। ବୀରମିତ୍ରପୁର ମ୍ୟୁନିସିପାଲିଟିରେ ୮୦ ପ୍ରତିଶତ ୱାର୍ଡ଼ ଆଦିବାସୀ ବହୁଳ। ଏଣୁ ୩ଟି ୱାର୍ଡ ଅଣସଂରକ୍ଷିତ ହୋଇଥିବାବେଳେ ଅନ୍ୟ ସମସ୍ତ ଏସ୍ଟିଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର, ପୌରାଧ୍ୟକ୍ଷ ପଦଟି କେଉଁ ଆଧାରରେ ଅଣସଂରକ୍ଷିତ ରହିଲା ବୋଲି ଦଳ ପ୍ରଶ୍ନ କରିଛି। ଏହାକୁ ବିରୋଧ କରି ସ୍ଥାନୀୟ ବିଧାୟକ ଶଙ୍କର ଓରାମ ଗତ ଜାନୁଆରୀ ୨୮ ତାରିଖ ଦିନ ଡାଇରେକ୍ଟର ମ୍ୟୁନିସିପାଲ ଆଡ୍ମିନିଷ୍ଟ୍ରେସନ୍ଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଥିବା ଦଳ ନିର୍ବାଚନ କମିଶନଙ୍କୁ ଜଣାଇଛି।
ଦୁଇଟି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲ୍ ସଦସ୍ୟ ରବି ଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ବିଏମ୍ସିର ପୂର୍ବତନ କର୍ପୋରେଟର ସୁଶାନ୍ତ କୁମାର ଜେନା ପ୍ରମୁଖ ସାମିଲ ଥିଲେ।