ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡ଼ା ମାଝୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରୁ ସ୍ୱାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇଭଉଣୀ ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ। ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକାର ପାଇବେ। ଏହି କାର୍ଡରେ ପରିବାର ପାଇଁ ୫ଲକ୍ଷ ଟଙ୍କା ଓ ମା’ମାନଙ୍କ ଲାଗି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କିଛି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ନାହିଁ । କେବଳ ଏହି ସ୍ମାର୍ଟ ହେଲଥ କାର୍ଡ ସାଥୀରେ ନେଇ ହସ୍ପିଟାଲ ଯିବାକୁ ହେବ। ଦେଶର ୨୦୦ରୁ ଅଧିକ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗଦେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଦାସ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଶ୍ରୀ ରମେଶ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇଥିଲେ।