ଭୁବନେଶ୍ୱର,ଏଜେନ୍ସ: ଭୂବନେଶ୍ୱରରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଶନିବାର ଯେତେବେଳେ ସ୍ପ୍ରିଂଟ କୁଇନ ଦୂତୀ ଚାନ୍ଦ ୨୦୦ ମିଟର ଫାଇନାଲର ଷ୍ଟାର୍ଟ ଲାଇନରେ ଠିଆହେଲେ ସେତେବେଳେ କଳିଙ୍ଗ ଷ୍ଟାଡିୟମରେ ଶକ୍ତି ଓ ଉତ୍ସାହରେ ହଠାତ ଏକ ପରିବର୍ତନ ଦେଖାଦେଇଥିଲା । ଏହି ୨୪ ବର୍ଷୀୟ ସ୍ପ୍ରିଂଟର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡ୍ରଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ) କୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରିଯୋଗୀତାରେ ଶୀର୍ଷରେ ରହିଥିଲେ ।
ଏଥି ସହିତ ଖେଲୋ ଇଣ୍ଡିଆର ନବମ ଦିନରେ ଓଡ଼ିଶାର ବ୍ରହ୍ମପୁର ୟୁନିଭର୍ସିଟିର ଛାତ୍ରୀ, ବନିତା ଘଡ଼େଇ ୮୭ କେ.ଜି ମହିଳା ବର୍ଗର ଭାରୋତଳନରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଆଉ ଏକ ସଫଳତା ଆଣିଦେଇଛନ୍ତି । ଦୂତୀଙ୍କ ବେଗ ଏଭଳି ଥିଲା ଯେ ତାଙ୍କ ପ୍ରତିଦ୍ୱନ୍ଦୀମାନେ ତାଙ୍କ ଆଖପାଖରେ ମଧ୍ୟ ପହଂଚିପାରିନଥିଲେ । ନ୍ୟାସନାଲ ରେକର୍ଡଧାରୀ ଦୂତୀ ଚାନ୍ଦ ଏହି ପ୍ରତିଯୋଗୀତାରେ ୧୧.୯ ସେକେଣ୍ଡର ଟାଇମିଙ୍ଗ ସହିତ ସ୍ୱର୍ଣ୍ଣ ହାସଲ କରିଛନ୍ତି ଯେବେକି ଦ୍ୱିତୀୟ ସ୍ଥାନରେ ଥିବା ମାଙ୍ଗାଲୋର ୟୁନିଭର୍ସିଟିର ଧନଲକ୍ଷ୍ମି ୧୧.୯୯ ସେକେଣ୍ଣ ଟାଇମିଙ୍ଗରେ ଏବଂ ମହାତ୍ମା ଗାନ୍ଧୀ ୟୁନିଭର୍ସିଟିର ସ୍ନେହା ଏସଏସ ୧୨.୦୮ ସେକେଣ୍ଡ ଟାଇମିଙ୍ଗ ସହ ବ୍ରୋଞ୍ଜ ହାସଲ କରିଛନ୍ତି ।
“ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ଏବଂ ଏଥିରେ ସ୍ୱର୍ଣ୍ଣ ହାସଲ କରି ମୁଁ ବେଶ ଆନନ୍ଦିତ ।” ବୋଲି ଦୂତୀ ତାଙ୍କ ବିଜୟ ପରେ କହିଛନ୍ତି ।” ମୋ ପାଇଁ ମୋ ଅଭ୍ୟାସ ବହୁତ ଭଲ ଭାବରେ ଚାଲିଛି । ପ୍ରତିଦିନ ମୁଁ ଛଅରୁ ସାତ ଘଂଟା ଟ୍ରେନିଙ୍ଗ ନେଉଛି । ମୋ କୋଚ ମୋତେ ଟ୍ରାକ ଏବଂ ଜିମ ୱାର୍କଆଉଟରେ ବେଶ ଭଲଭାବେ ଗାଇଡ କରୁଛନ୍ତି ।”ବୋଲି ଦୂତୀ ପ୍ରକାଶ କରିଛନ୍ତି । ସେ ଖେଳର ଶେଷ ଦିନରେ ୨୦୦ମିଟରରେ ମଧ୍ୟ ଅଂଶଗ୍ରହଣ କରିବେ ।