ଟଙ୍କାଜମା ବେଳେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଜାଲ ନୋଟ

କଟକ,ଏନ୍ଏନ୍ଏସ୍ : ଟଙ୍କା ଜମା କରିବା ବେଳେ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମର୍କତନଗର ପୁଲିସ ଜବତ କରିଛି। ଏହି ସମସ୍ତ ଜାଲ ନୋଟ ୨ହଜାର ଟଙ୍କିଆ ରହିଥିବା ପୁଲିସ ସୂଚନା ଦେଇଛି। ଜାଲ ନୋଟ ଜମାକରିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ଖବର ନେବାରେ ଜଣାପଡ଼ିଛି ଯେ, ସିଡିଏ ସେକ୍ଟର-୬ରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବିଡ଼ାନାସୀ ଶାଖାର ପରିଚାଳକ ଦେବକାନ୍ତ ନାଏକ ସ୍ଥାନୀୟ ମର୍କତନଗର ଥାନାରେ ଲିଖିତ ଏତଲା ଦେଇଥିଲେ।

ସେ ଅଭିଯୋଗ କରିଥିଲେ ଯେ, ଗତ ୧୭ ତାରିଖରେ ଏଟିଏମ ମେସିନ୍ ମାଧ୍ୟମରେ ୫୩ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍ ୩୦୪୭୭୭୮୧୧୮୦ ନମ୍ବର ଅକାଉଣ୍ଟରେ ଜମାକାରୀ ଜମା କରିଥିଲେ। ପରେ ଏହି ନୋଟଗୁଡିକ ନକଲି ଥିବା ଜଣାପଡିବାରୁ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ନାୟକ ଥାନାରେ ଏହି ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ କେସ ନମ୍ବର ୨୫/୨୦୨୦ ଓ ଆଇପିସି ୪୮୯(କ), ୪୮୯(ଗ)ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ପୁଲିସ ଏହି ଘଟଣାର ଛାନଭିନ କରି ୧ଲକ୍ଷ ୬ ହଜାର ଟଙ୍କାର ୨ହଜାର ଟଙ୍କିଆ ଜାଲ ନୋଟ ନୋଟ୍ ଜବତ କରିବା ସହ ଅଭିଯୁକ୍ତ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ତଥା ମର୍କତନଗର ଥାନା ଅନ୍ତର୍ଗତ ସିପିଏ ସେକ୍ଟର-୮, ପ୍ଲଟ ନଂ ସି/୬୮୨ରେ ରହୁଥିବା ସତ୍ୟଜିତ ପଣ୍ଡା(୨୯)କୁ ଗିରଫ କରିଛି।