ଓଡ଼ିଶାରେ ଆରମ୍ଭ ହେଲା ‘ଡ୍ରାଏ ରନ୍’, ୭୭୫ଜଣ ସଦସ୍ୟ ନେଲେ ମକ୍ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ଓଡ଼ିଶାରେ ବହୁ ପ୍ରତିକ୍ଷିତ କରୋନା ଟିକାର ‘ଡ୍ରାଏ ରନ୍’ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ଫଳରେ ରାଜ୍ୟବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। କରୋନା ମହାମାରୀରୁ ମୁକ୍ତି ପାଇବା କ୍ଷେତ୍ରରେ ରାଜ୍ୟବାସୀଙ୍କ ଲାଗି ବଡ଼ ମାର୍ଗ ପ୍ରଶସ୍ତ କରିଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ ଅଭ୍ୟାସ କରାଯାଇଛି। ଆଜି ୩୧ଟି ହସ୍ପିଟାଲରେ ପ୍ରତି କେନ୍ଦ୍ରରେ ୫ ଜଣିଆ ଟିକାକରଣ ସଦସ୍ୟ ରହିଥିଲେ। ପ୍ରତି କେନ୍ଦ୍ରରେ ୫ଜଣ ସଦସ୍ୟା ୨୫ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ମକ୍ ଟିକା ପ୍ରଦାନ କରିଥିଲେ। ଫଳରେ ରାଜ୍ୟରେ ମୋଟ ୭୭୫ଙ୍କୁ କ୍ଷେତ୍ରରେ ମକ୍ ଟିକା ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ହୋଇଥିଲା।
ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ଜାତୀୟସ୍ତରରେ ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠାରେ ସବୁ ଜିଲ୍ଲାରେ ‘ଡ୍ରାଏ ରନ୍’ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏସଓପି ପ୍ରଦାନ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ କୋ-ୱିନ୍ ୱେବ୍ ପୋର୍ଟାଲରେ ୟୁଜର ଆଇଡି ପ୍ରସ୍ତୁତ କରାଯାଇଛି।

ସେହିପରି ରାଜ୍ୟରେ ଯେତେବେଳେ ପ୍ରକୃତ କ୍ଷେତ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେହି ସମୟରେ ପ୍ରଥମେ ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍। ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ। ପରିବର୍ତ୍ତୀ ଅବସ୍ଥାରେ ଭୁବନେଶ୍ୱରରୁ ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ। କଟକ, ଭୁବନେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗିରରେ ୯ଟି ଆଞ୍ଚଳିକ କେନ୍ଦ୍ରରେ ଟିକା ରଖାଯିବ। ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା। ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଣ୍ଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ। ଏହି କୋଲ୍ଡ ଚେନ୍ ପଏଣ୍ଟରୁ ୨୯,୨୭୨ ଟିକାଦାନ କେନ୍ଦ୍ରକୁ ପଠାଯିବ। ଆଉ ଏହି କେନ୍ଦ୍ରରୁ ହିଁ ଦିଆଯିବ ଟିକା। ଅନ୍ୟପଟରେ ଟିକାଦାନ କେନ୍ଦ୍ରରେ ୪ଟି କୋଠରୀ ରହିବ। ଗୋଟିଏ ଅପେକ୍ଷା ଗୃହ, ଯାଞ୍ଚ ଗୃହ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିଛି। ପୂର୍ବରୁ ଟିକାକରଣ ପାଇଁ ରାଜ୍ୟକୁ ୨୧ ଲକ୍ଷ ସିରିଞ୍ଜି ପହଞ୍ଚି ଯାଇଛି। ଟିକାଦାନ ପାଇଁ ୮,୬୧୯ ଜଣ ଭ୍ୟାକ୍ସିନେଟର ବା ଟିକା ଦେବା ବ୍ୟକ୍ତିଙ୍କୁ ତାଲିମ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟର ପ୍ରାୟ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା କରାଯାଇଛି।