କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରକୁ ବ୍ୟାଙ୍କମାନେ ଋଣ ପ୍ରଦାନରେ ପ୍ରାଥମିକତା ଦେବା ଆବଶ୍ୟକ: ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କୃଷିର ଉନ୍ନତି ଓ କୃଷକମାନଙ୍କ ଆୟ ବୃଦ୍ଧି ନିମେନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନର ଆବଶ୍ୟକତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବ୍ୟାଙ୍କଗୁଡ଼ିକ କୃଷି ସମ୍ବନ୍ଧୀୟ ଋଣ ଆବେଦନ ଗୁଡ଼ିକ ମଂଜୁର କରିବା ଦିଗରେବ୍ୟାଙ୍କମାନେ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ଗୁରୁବାର କୃଷି ଭବନଠାରେ ବ୍ୟାଙ୍କର୍ସମାନଙ୍କର ଏକ ବୈଠକ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଋଣ ଯୋଗାଇଦେବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ଵ ଦେଇଥିଲେ। ସେ କହିଲେ ବ୍ୟାଙ୍କର ଶାଖା ଗୁଡ଼ିକରେ ପଡ଼ି ରହିଥିବା ଆବେଦନକୁ ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜରମାନେ ନିୟମିତ ସମୀକ୍ଷା କରି ତୁରନ୍ତ ନିଷ୍ପତ୍ତି ନେବା ଉଚିତ। ଏଥିସହିତ ମତ୍ସ୍ୟ, ଉଦ୍ୟାନ କୃଷି, ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ଓ ଆପିକଲର ନିର୍ଦ୍ଦେଶକମାନେ ନିଜ ନିଜ ସ୍ତରରେ ପ୍ରତି ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ସହିତ ବୈଠକ କରି ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଋଣ ଆବେଦନର ସ୍ଥିତି ସଂପର୍କରେ ସମୀକ୍ଷା କରି ରାଜ୍ୟରେ କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ଆବେଦନ ଗୁଡ଼ିକର ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଥିଲେ।