ମାର୍ଚ୍ଚ ୩୧ ସୁଦ୍ଧା ଶିକ୍ଷାନୁଷ୍ଠାନ ଗୁଡିକୁ ମିଳିବ ଜମିପଟ୍ଟା

ଭୁବନେଶ୍ବର,ଏନ୍ଏନ୍ଏସ୍: ମାର୍ଚ୍ଚ ୩୧ ଭିତରେ ଶିକ୍ଷାନୁଷ୍ଠାନଙ୍କୁ ମିଳିବ ଜମି ପଟ୍ଟା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍‌ ସତ୍ୟବ୍ରତ ସାହୁ। ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଆବେଦନ କରୁଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଓ ଶିକ୍ଷାନୁଷ୍ଠାନମାନଙ୍କର ପଟ୍ଟା ଆବେଦନଠାରୁ ପଟ୍ଟା ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଏସିଏସ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲା ପାଇଁ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରିଛନ୍ତି ଏସିଏସ୍‌। ପ୍ରତ୍ୟେକ ସପ୍ତାହରେ ହେଉଥିବା ଆଭ୍ୟନ୍ତରୀଣ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଜମି ପଟ୍ଟା ଅଭିଯାନକୁ ସଫଳ କରିବାପାଇଁ ସମସ୍ତ ବରିଷ୍ଠ ଅଧିକାରୀ ଓ ରାଜସ୍ବ ଡିଭିଜନର ଆୟୁକ୍ତ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଫିସରମାନେ ବିଭିନ୍ନ ଜିଲ୍ଲାରେ ସମସ୍ତ ଶିକ୍ଷା ଓ ରାଜସ୍ବ ବିଭାଗର କ୍ଷେତ୍ରାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି।

ମୋଟ ୧୦,୯୦୧ ଶିକ୍ଷାନୁଷ୍ଠାନ ଜମି ପଟ୍ଟା ପାଇଁ ରାଜସ୍ବ କ୍ଷେତ୍ରାଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ଏହା ମଧ୍ୟରୁ ୮,୬୬୦ ଆବେଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ୫୦୦୦ ଜମି ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ବଣ୍ଟନ ସରିଛି। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧,୦୫୨ ଜମି ପଟ୍ଟା ବଣ୍ଟନ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୬୭୦, ବୌଦ୍ଧ ଜିଲ୍ଲାରେ ୪୬୩ ଓ ରାୟଗଡା ଜିଲ୍ଲାରେ ୨୫୪ ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ବଣ୍ଟନ କରାଯାଇଛି।

ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ଆବେଦନ କରିଥିବା ଶିକ୍ଷାନୁଷ୍ଠାନଙ୍କୁ ଜମି ପଟ୍ଟା ବାଣ୍ଟିବା ନେଇ ରାଜସ୍ବ କ୍ଷେତ୍ରାଧିକାରୀଙ୍କୁ ଏସିଏସ୍‌ ତାଗିଦ କରିଛନ୍ତି। ସେହି ଅନୁସାରେ ସମସ୍ତ ରାଜସ୍ବ ଆୟୁକ୍ତ ଓ ନୋଡାଲ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।