ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ବର୍ଷିୟାନ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ରବିବାର ରାତିରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ରବିବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶାସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ବିଜନେସ୍ ଷ୍ଟାଣ୍ଡର୍ଡର ଓଡ଼ିଶାର ରେସିଡେଣ୍ଟ ଏଡିଟର ଭାବେ ସେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେ ଶିକ୍ଷାଦାନ କରିବା ସହ ଇଲୋକ୍ଟ୍ରନିକଗଣମାଧ୍ୟମରେ ଅତିଥି ଭାବେ ମଧ୍ୟ ଭାଗ ନେଉଥିଲେ । ଜଣେ ଉପସ୍ଥାପକ ଭାବେ ଦିଲ୍ଲୀପ ମଧ୍ୟ ଦୂରଦର୍ଶନରେ କାମ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଦିଲ୍ଲୀପଙ୍କ ବର୍ଷ ବର୍ଷର ଅବଦାନ ଅତୁଳନୀୟ ।

ସେହିପରି ତାଙ୍କର ସରଳ ଅମାୟୀକ ବ୍ୟବହାର ପାଇଁ ସେ ସମସ୍ତଙ୍କ ଗହଣରେ ବେଶ ପ୍ରିୟ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ତାଙ୍କ ସତ୍ୟନଗର ସ୍ଥିତ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ବହୁ ସାମ୍ବାଦିକ, ରାଜନେତା ଏବଂ ବୁଦ୍ଧିଜୀବୀମାନେ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।