ବିଦ୍ୟୁତ ସେବାରୁ କାହାରିକୁ ବଞ୍ଚିତ କରାଯିବ ନାହିଁ : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିର ଦୁନିଆରେ ବିଦ୍ୟୁତ ଏକ ଆବଶ୍ୟକତା ସେବା ଭାବେ ପରିଗଣିତ ହୋଇଛି। ତେଣୁ ବିଦ୍ୟୁତ ସେବାରୁ କାହାରିିକୁ ବି ବଞ୍ଚିତ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଆଜି କଳାହାଣ୍ଡି ଜିଲ୍ଲାର ବିଦ୍ୟୁତ ଯୋଗାଣ ଉପରେ ସମୀକ୍ଷା ସମୟରେ ସେ ଏହା ପ୍ରକାଶ କରିଛନ୍ତି। ସମୀକ୍ଷାରେ କଳାହାଣ୍ଡି ଜିଲ୍ଲାର ସାମ୍ପ୍ରତିକ ବିଦ୍ୟୁତ ସେବାର ସ୍ଥିତି ସମ୍ପର୍କରେ ଅବଗତ ହେବା ସହିତ ଓରେଡ଼ା ତରଫରୁ ଜିଲ୍ଲାର ଲାଞ୍ଜିଗଡ଼, ମଦନପୁର ରାମପୁର, ଭବାନୀପାଟଣା ଏବଂ ଜୁନାଗଡ଼ ବ୍ଲକରେ ସୌର ଶକ୍ତି ସମ୍ପ୍ରତି ୧୦୯ଟି ଗ୍ରାମର ୩,୧୫୯ଟି ପରିବାରକୁ ଯୋଗାଇ ଦିଆଯାଉଥିବା ଜାଣିପାରିଥିଲେ।
ସେହିପରି ଓପିଟିସିଏଲକୁ ନର୍ଲାଠାରେ ଅଗଷ୍ଟ ୧୫ ସୁଦ୍ଧା ୩୩/୧୧ କେଭି ସବଷ୍ଟେସନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀର ଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଦ୍ୟୁତ ଅନ୍ତଃକରର ନିର୍ମାଣକାରୀ ସଂସ୍ଥା ତାଙ୍କ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ୧୫ ଅଗଷ୍ଟ ମଧ୍ୟରେ ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍ର ଏବଂ ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍, ଆରଇଡ଼ି, ଏନ୍ଟିପିସି, ସିପିଏମ୍, ଆରଇସି ଏବଂ ଓରେଡ଼ା ଓ ୱେସକୋର ପଦସ୍ଥ ଅଧିକାରୀଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗୱାଲି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।