ସୁନ୍ଦରଗଡରେ ଭାରତ ସ୍କାଉଟ ଏବଂ ଗାଇଡସ କାର୍ଯ୍ୟକ୍ରମରେ : ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ କଳ୍ପନା ଅସମ୍ଭବ

ସୁନ୍ଦରଗଡ, ଏନ୍ଏନ୍ଏସ୍ : ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡ ଠାରେ ଭାରତ ସ୍କାଉଟ ଏବଂ ଗାଇଡସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତମାନ ପ୍ରତିଟି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତିା ତେବେ ଯୁବପିଢୀମାନେ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢିବାର କଳ୍ପନା କରିବା ଦରକାର। ଯୁବବର୍ଗ ହିଁ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସିକା ଭଳି ଦୁଇଟି ବଡ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେସମୟରୁ ଆଜି ପର୍ଯ୍ୟନ୍ତ ଜାପାନ ନିଜ ଦୃଢ ଇଚ୍ଛାଶକ୍ତି ଓ ନିଷ୍ପତି କାରଣରୁ ଏବେ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇପାରିଛି। ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗୁଡିକ ଠାରୁ କଂଚାମାଲ କିଣି ନିଜ ଦେଶରେ କମ ମୂଲ୍ୟରେ ଇସ୍ପାତ ଉତ୍ପାଦ ତିଆରି କରି ବିକ୍ରି କରୁଛି। ଜାପାନର ଯୁବକଙ୍କ ଉଦ୍ୟମ ଯୋଗୁଁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅପରପକ୍ଷରେ ଅନେକ ଦିନ ଧରି ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତର ଭଲ ଅର୍ଥନୀତି ଥାଇ ସତ୍ୱେ ସଂପ୍ରତି ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିନାହିଁ। ଦେଶରେ ଖଣିଜ ସମ୍ବଳରେ ଭରପୁର ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ଭଳି ଇସ୍ପାତ କାରଖାନା ଥାଇ ମଧ୍ୟ ଏଠାକାର ଇସ୍ପାତ ଉତ୍ପାଦିତ ଜିନିଷ ଜାପାନର ଇସ୍ପାତ ଠାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇପାରୁନାହିଁ। ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢୀଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।