ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଗଣମାଧ୍ୟମର କଠିନ ପରିଶ୍ରମକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମହାମାରୀର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ ସମୟସୀମାକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି।ରାଜ୍ୟ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମର୍ଥନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟସୀମାକୁ ଏପ୍ରିଲ ୩୦ ତାରିଖ ଯାଏଁ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା ନିଜ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରରକ୍ଷିତ ରଖିବା ବୋଲି ଶ୍ରୀ ପ୍ରଧାୀନ ଟ୍ୱିଟ୍ କରିଛନ୍ତି ।

ସେହିପରି ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ‘ଲକ୍ ଡାଉନ’ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନିଷ୍ପତ୍ତିକୁ ବିଜେପି ସମର୍ଥନ କରୁଛି। ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ସେହି ଅନୁସାରେ ଜନସାଧାରଣମାନେ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୂରତ୍ୱ ଓ ସରକାରୀ କଟକଣାକୁ ମାନିବା ସହ ସାମାଜିକ କାର୍ଯ୍ୟକର୍ତ୍ତା ଭାବରେ ଅସହାୟ ଲୋକଙ୍କୁ ଏଭଳି ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ଏପରି କଠିନ ସମୟରେ ଗଣମାଧ୍ୟମର ସାହସୀ ଓ ଜୀବନକୁ ବାଜି ଲଗାଇ କାମ କରିବାର ସେ ପ୍ରଶଂସା କରିଛନ୍ତି ।